Farmer: ଖରିଫ ଧାନ ବିକି ପାରିଲେନି, ଇଚ୍ଛାମୃତ୍ୟୁ ଅନୁମତି ମାଗିଲେ ଚାଷୀ

ଭେଡ଼େନ: ଗତ ଖରିଫ ଋତୁରେ ଧାନ ବିକି ପାରିଲେନି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ତାଲମେଣ୍ଡା ଗ୍ରାମର ଚାଷୀ ରୋହିତ ଭୋଇ। ପ୍ରଶାସନର ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରି ସେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି। ସୂଚନା ଅନୁସାରେ, ସୋମବାର ଭେଡ଼େନ ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିରରେ ଚାଷୀ ରୋହିତ ଭୋଇ ପହଞ୍ଚି ଜିଲ୍ଲାପାଳଙ୍କୁ କହିଥିଲେ ଯେ, ପ୍ରଶାସନର ଅବହେଳା ଯୋଗୁଁ ସେ ଗତ ଖରିଫର ଧାନ ବିକ୍ରି କରିପାରି ନାହାନ୍ତି। ଏବେ ବି ତାଙ୍କ ଧାନ ମଣ୍ଡିରେ ପଡ଼ିରହିଛି। କାଳେ ସରକାର ତାଙ୍କ ଗୁହାରି ଶୁଣିବେ ବୋଲି ଆଶା କରି ବହୁଦିନ ଧରି ଖରା, ବର୍ଷାରେ ଧାରଣାରେ ବସିଥିଲେ। ତଥାପି ଧାନ ବିକ୍ରି ହୋଇପାରୁ ନ ଥିବାରୁ ବୃଦ୍ଧ ବାପା ମା’ଙ୍କ ପାଇଁ ଔଷଧ ମଧ୍ୟ କିଣି ପାରୁନାହାନ୍ତି। ଛୁଆଙ୍କ ପାଠପଢ଼ା, ଘର ଚଳିବା ଖର୍ଚ୍ଚ ଯୋଗାଡ଼ କରିବା ସମ୍ଭବ ହେଉନି। ଫଳରେ ସେ ବଞ୍ଚିବାକୁ ଚାହୁଁ ନଥିବା ଦର୍ଶାଇ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଲିଖିତ ଭାବେ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




