Green village: ଏସିଆର ପ୍ରଥମ ସବୁଜ ଗ୍ରାମ

ଏବେ ବିକାଶ ନାମରେ ଅନେକ ସ୍ଥାନରେ ଜଙ୍ଗଲକୁ କାଟି ଦିଆଯାଉଛି, ଯାହା ଫଳରେ ପରିବେଶ ଧୀରେଧୀରେ ନଷ୍ଟ ହେବାକୁ ଲାଗିଛି। ତେବେ ଭାରତରେ ଆଜି ମଧ୍ୟ ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଲୋକମାନେ ପ୍ରକୃତିକୁ ନିଜ ଜୀବନର ଅଂଶ ଭାବେ ସୁରକ୍ଷିତ ରଖିଛନ୍ତି। କୋନୋମା ସେହିପରି ଏକ ଅନନ୍ୟ ଗ୍ରାମ, ଯାହାକୁ ଏସିଆର ପ୍ରଥମ ‘ଗ୍ରିନ୍‌ ଭିଲେଜ୍‌’ ବୋଲି କୁହାଯାଏ। ସବୁଜ ପାହାଡ଼, ପରିଚ୍ଛନ୍ନ ପରିବେଶ ଏବଂ ପ୍ରକୃତି ପ୍ରତି ଲୋକମାନଙ୍କ ଅସୀମ ଭଲପାଇବା ଏହି ଗ୍ରାମକୁ ଅନ୍ୟ ସମସ୍ତ ଗ୍ରାମଠାରୁ ଅଲଗା ପରିଚୟ ଦେଇଛି।

ନାଗାଲାଣ୍ଡ୍‌ର କୋହିମା ଜିଲ୍ଲାରେ ଅବସ୍ଥିତ ଏହି ସୁନ୍ଦର ଗ୍ରାମଟି ପ୍ରକୃତିର ସୁରକ୍ଷା, ପରିଚ୍ଛନ୍ନତା ଓ ସବୁଜ ପରିବେଶ ପାଇଁ ସମଗ୍ର ଦେଶରେ ପରିଚିତ। ପାହାଡ଼, ଘନ ଜଙ୍ଗଲ ଓ ଧାନକ୍ଷେତରେ ଘେରା ଏହି ଗ୍ରାମର ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ୨୦୦୫ ମସିହାରେ ଖୋନୋମାକୁ ଦେଶର ପ୍ରଥମ ଗ୍ରିନ୍‌ ଭିଲେଜ୍‌ ଭାବେ ଘୋଷଣା କରାଯାଇଥିଲା। ଏଠାର ଅଙ୍ଗାମି ଜନଜାତିର ଲୋକମାନେ ପ୍ରକୃତି ସୁରକ୍ଷାକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରିନେଇଛନ୍ତି।

ପୂର୍ବରୁ ଏଠା‌େର ଶିକାରକୁ ଏକ ପରମ୍ପରା ଭାବେ ଗ୍ରହଣ କରାଯାଉଥିଲା। ତେବେ ୧୯୯୮ ମସିହାରେ ଗ୍ରାମ ପରିଷଦ ଶିକାର ଓ ଜଙ୍ଗଲ କାଟିବାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଥିଲା। ଏହାପରେ ଦୁର୍ଲଭ ପକ୍ଷୀ ଓ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ଲାଗି ‘ଖୋନୋମା ନେଚର କଞ୍ଜରଭେସନ୍‌ ଏଣ୍ଡ ଟ୍ରାଗୋପାନ ସାଂଚୁଆରି’ ଗଠନ କରାଯାଇଥିଲା। ଏଠାର ଲୋକମାନେ ପ୍ରାକୃତିକ ପଦ୍ଧତିରେ ଚାଷ କରନ୍ତି ଏବଂ ରାସାୟନିକ ସାର ବ୍ୟବହାରକୁ ଏଡ଼ାଇଥାନ୍ତି। ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାର ଘରଗୁଡ଼ିକରେ ସାଧାରଣତଃ ତାଲା ପଡ଼େନାହିଁ। ଦୋକାନରେ ମଧ୍ୟ ଦୋକାନୀ ନଥାନ୍ତି; ଲୋକମାନେ ନିଜେ ସାମଗ୍ରୀ ନେଇ ଟଙ୍କା ରଖି ଯାଆନ୍ତି।

 

 

 

 

ସୌଜନ୍ୟ ସମ୍ବାଦ