ଜିଲ୍ଲାପୁନଶ୍ଚ ପୃଥିବୀରାଜ୍ୟ

Massive Forest Felling ପୋଡୁଚାଷ ନାଁରେ କାଟିଦେଲେ କୋଟି କୋଟି ଟଙ୍କାର ଶାଳ ଗଛ

ସୁନ୍ଦରଗଡ଼ର ବଣାଇ ବନଖଣ୍ଡରେ ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟି ୨୩ ହେକ୍ଟର ସଂରକ୍ଷିତ ଜଙ୍ଗଲ ସଫା କରାଯାଇଥିବା ଘଟଣା ପ୍ରକାଶ ପାଇଛି। ବନ ବିଭାଗ ୪ ଜଣଙ୍କୁ ଗିରଫ କରିଥିବାବେଳେ କାଠ ଚୋରାଚାଲାଣ ଚକ୍ରର ଭୂମିକାକୁ ନେଇ ତଦନ୍ତ ଚାଲିଛି।

ବଣାଇଁଗଡ଼( ଚିନ୍ମୟ ତ୍ରିପାଠୀ):  ସୁନ୍ଦରଗଡ଼ଜିଲ୍ଲା ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜର ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ପୋଡୁଚାଷ ଆଢ଼ୁଆଳରେ ବ୍ୟାପକ ଜଙ୍ଗଲ କଟାଯାଇଛି। ଏଥିରେ କୋଟିକୋଟି ଟଙ୍କାର ଶାଳଗଛ ବଳିପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଗଛକଟା ସାମଗ୍ରୀ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।


ପ୍ରାଥମିକ ତଦନ୍ତରୁ ପ୍ରାୟ ୭୪୨ଟି ଶାଳ ଗଛର କ୍ଷତି ହୋଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲକୁ ବେଆଇନ ଭାବେ ସଫା କରାଯାଇଥିବା ଜଣାପଡ଼ିଛି, ଯାହାକୁ ନେଇ ବନ ବିଭାଗ ଚିନ୍ତା ପ୍ରକାଶ କରିଛି।ଜରଡା ରେଞ୍ଜ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ୯ ଜୁଲାଇ ୨୦୨୬ ତାରିଖ ଅପରାହ୍ନ ୨ଟା ୪୩ ମିନିଟ ସମୟରେ ରାମଛିନ୍ଦା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଓ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାଡ୍ ନିୟମିତ ପାଦ ପାଟ୍ରୋଲିଂ କରୁଥିବା ବେଳେ ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବେଆଇନ ଗଛ କଟା, ଗଛର ଛାଲ କାଢ଼ି ନଷ୍ଟ କରିବା, ଡାଳ କାଟିବା ଏବଂ ଜଙ୍ଗଲ ଜମିକୁ ପୋଡୁ ଚାଷ ପାଇଁ ସଫା କରାଯାଉଥିବା ଦେଖିଥିଲେ।Podu cultivation3ବନ କର୍ମଚାରୀଙ୍କୁ ଦେଖି ଅଧିକାଂଶ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ ଘଟଣାସ୍ଥଳରୁ ପାତ୍ରାସ ଟପ୍ପୋ (୬୫), ସୁଲେମାନ ବାର୍ଲା (୫୦), ମାସିପ୍ରକାଶ ଜୋଜୋ (୨୭) ଓ ଇନ୍ଦ୍ରମଣି ଓରାମ (୪୩)ଙ୍କୁ କାବୁ କରାଯାଇଥିଲା।

ଚଢ଼ାଉ ବେଳେ ବନ ବିଭାଗ ୪ଟି କୁରାଢ଼ି, ୪ଟି ଦାଉଲି, ୨ଟି ଫାଶ ଜାଲ, ଗୋଟିଏ ଧନୁ ଓ ୪ଟି ତୀର ଜବତ କରିଛି। ଏଥିସହ ସମଗ୍ର ଅଞ୍ଚଳର ଡ୍ରୋନ୍ ମାଧ୍ୟମରେ ଭିଡିଓ ଓ ଫଟୋଗ୍ରାଫି କରାଯାଇ ପ୍ରମାଣ ସଂଗ୍ରହ କରାଯାଇଛି।

Podu cultivation2

ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ କିଛି କାଠ ମାଫିଆ ସ୍ଥାନୀୟ ଲୋକଙ୍କୁ ଅର୍ଥର ପ୍ରଲୋଭନ ଦେଇ ପୋଡୁ ଚାଷ ନାଁରେ ମୂଲ୍ୟବାନ ଶାଳ ଗଛ କାଟି ବାହାରକୁ ଚୋରାଚାଲାଣ କରୁଥିବା ଅଭିଯୋଗ ରହିଛି। ଏହା ପଛରେ ଏକ ସଂଗଠିତ କାଠ ଚୋରାଚାଲାଣ ଚକ୍ର କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି।

ଏହି ଘଟଣାକୁ ନେଇ ଓଆର୍ କେସ୍ ନଂ–୩୫ଜେ/୨୦୨୬–୨୭ ରୁଜୁ କରାଯାଇ ଓଡ଼ିଶା ବନ ଆଇନ, ୧୯୭୨ର ପ୍ରଯୁଜ୍ୟ ଧାରାରେ ମାମଲା ଦାୟର କରାଯାଇଛି। ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କୁ ଗୁରୁଣ୍ଡିଆ ଥାନାକୁ ହସ୍ତାନ୍ତର କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ବନ ବିଭାଗ ତଦନ୍ତକୁ ଜୋରଦାର କରିଛି।

ବଣାଇ ବନଖଣ୍ଡରେ ପୋଡୁ ଚାଷ ଆଳରେ ଏଭଳି ବ୍ୟାପକ ଜଙ୍ଗଲ ଧ୍ୱଂସ ଘଟଣା ପରିବେଶବିତ୍, ବନ୍ୟପ୍ରାଣୀ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି। ବନ ସୁରକ୍ଷା ପାଇଁ କାଠ ମାଫିଆଙ୍କ ବିରୋଧରେ ଅଧିକ କଠୋର ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button