Naxal: ୪ ଦଶନ୍ଧିର ନକ୍ସଲରାଜ୍‌ ଶେଷ: ନୂଆ ଇତିହାସ ଲେଖିବ ‘ଆବୁଝମାଡ଼’

ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ ବସ୍ତର ଅଞ୍ଚଳର ‘ଆବୁଝମାଡ଼’ ଜଙ୍ଗଲ। ଏକଦା ନକ୍ସଲଙ୍କ ରାଜଧାନୀ ଥିବା ଏହି ଜଙ୍ଗଲ ଏବେ ମାଓମୁକ୍ତ। ଜଙ୍ଗଲ ଭିତରେ ଥିବା ବହୁ ଗ୍ରାମ ନକ୍ସଲ ଭୟରେ ସରକାରଙ୍କ ରେକର୍ଡ ପରିସରଭୁକ୍ତ ହୋଇନଥିଲା। କେଉଁ ଗାଁରେ କେତେ ଲୋକ ରହୁଛନ୍ତି, କ’ଣ କରୁଛନ୍ତି ତାହା ପ୍ରଶାସନକୁ ଜଣାନଥିଲା। ଗତ ୪ ଦଶନ୍ଧିର ଆତଙ୍କ ଏବେ ଶେଷ ହୋଇଛି। ଜଙ୍ଗଲରେ ଥିବା ୪୫୭ ଗ୍ରାମକୁ ସରକାର ଚିହ୍ନଟ କରିଛନ୍ତି। ସବିଶେଷ ସର୍ଭେ କରି ବିକାଶ ପ୍ରକ୍ରିୟାରେ ଏ ସବୁ ଗାଁଗୁଡ଼ିକୁ ସାମିଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପ୍ରାଥମିକ ପର୍ଯ୍ୟାୟ ସର୍ଭେ ପରେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବେ ସରକାର। ୪ ହଜାର ବର୍ଗ କିମି ପରିବ୍ୟାପ୍ତ ‘ଆବୁଝମାଡ଼’ ଜଙ୍ଗଲ ଛତିଶଗଡ଼ର ନାରାୟଣପୁର, ବିଜାପୁର, ଦନ୍ତେୱାଡ଼ା, କାଙ୍କେର ଜିଲ୍ଲା ସହ ମହାରାଷ୍ଟ୍ରର ଗଡ଼ଚିରୋଲି ପର୍ଯ୍ୟନ୍ତ ବ୍ୟାପିଛି। ଏହି ଘଞ୍ଚ ଜଙ୍ଗଲର ଭୌଗୋଳିକ ସ୍ଥିତି ବୁଢ଼ିଆଣି ଜାଲ ଭଳି ଅଗମ୍ୟ।

ବିକାଶ ସ୍ରୋତକୁ ଫେରିବେ ୪୫୭ ଗାଁ8ଜଙ୍ଗଲରେ ସର୍ଭେ କରିବେ ସରକାର

ଯେଉଁଥିପାଇଁ ନକ୍ସଲ ଏହି ଜଙ୍ଗଲକୁ ନିଜର ରାଜଧାନୀ କରିଥିଲେ। ଏଠାରେ ନକ୍ସଲଙ୍କ ତାଲିମ କେନ୍ଦ୍ର ସହ ଟପ୍‌ କ୍ୟାଡର୍‌ଙ୍କ ଦରବାର ଚାଲିଥିଲା। ୨୦୨୪ ପରେ କିନ୍ତୁ ସ୍ଥିତି ବଦଳିଯାଇଛି। ଲଗାତାର କମ୍ବିଂ ଓ ସର୍ଚ୍ଚ ଅପରେସନ୍‌, ଘନଘନ ଏନ୍‌କାଉଣ୍ଟର୍‌ ଚାଲିଲା। ଘଞ୍ଚ ଜଙ୍ଗଲର କୋଣ ଅନୁକୋଣ ଜାଣିଥିବା ନକ୍ସଲଙ୍କ ଆମ୍ବୁସରେ ଫସିବା ସତ୍ତ୍ବେ ପଛକୁ ହଟିନଥିଲେ ସୁରକ୍ଷାକର୍ମୀ। ୪ ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ୨ ହଜାରରୁ ଊର୍ଦ୍ଧ୍ବ ଯବାନ ଜଙ୍ଗଲକୁ ଘେରିବା ପରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ।

ଅନେକ ଏନ୍‌କାଉଣ୍ଟରରେ ଟଳିଥିଲେ। ବହୁ କ୍ୟାଡର ଆତ୍ମସର୍ମପଣ କଲେ। ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼ ନକ୍ସଲମୁକ୍ତ ହେବା ପରେ ପ୍ରଶାସନ ଓ ପୁଲିସ ‘ଆବୁଝମାଡ଼’ ଜଙ୍ଗଲ ଭିତର ୪୫୭ ଗାଁକୁ ମୁଖ୍ୟସ୍ରୋତକୁ ଆଣିବାକୁ ବିଭିନ୍ନ ଟିମ୍‌କୁ ସର୍ଭେ ପାଇଁ ପଠାଇଛନ୍ତି। ଏବେ ବି କିଛି ନକ୍ସଲ ଜଙ୍ଗଲରେ ଲୁଚିଥିବାରୁ କଡ଼ା ସୁରକ୍ଷାରେ ସର୍ଭେ ଚାଲିଥିବା କହିଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି। ସର୍ଭେ ସରିବା ପରେ ସମସ୍ତ ଗାଁକୁ ରାସ୍ତା ସହ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ବିକାଶଠୁ ଦୂରରେ ଥିବା ଗ୍ରାମବାସୀ ମୁଖ୍ୟସ୍ରୋତକୁ ଆସିବେ। ଜଙ୍ଗଲରେ ଲୁଚି ବୁଲୁଥିବା ହାତଗଣତି କିଛି ନକ୍ସଲଙ୍କୁ ପୁଲିସ ଆତ୍ମସମର୍ପଣ ପାଇଁ ମଧ୍ୟ ପ୍ରୟାସ ଚଳାଇଛି।

 

 

 

 

ସୌଜନ୍ୟ ସମ୍ବାଦ