ମନୋରଞ୍ଜନ

Suman Kalyanpur passes away: ‘ଏଇ ବନର ଛାଇ’ , ‘ଗୁହାରି ଶୁଣ ଭଗବାନ୍’ ତାଙ୍କୁ ଓଡ଼ିଶାରେ କରାଇଥିଲା ପରିଚିତ, ଗାୟିକା ସୁମନ କଲ୍ୟାଣପୁର ଆଉ ନାହାନ୍ତି

ମୁମ୍ବାଇ: ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟିକା ସୁମନ କଲ୍ୟାଣପୁର ଆଉ ନାହାନ୍ତି।  ରବିବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ବାସଭବନରେ ସୁମନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ପୱନ ହଂସ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସୁମନ ହିନ୍ଦୀ, ମରାଠୀ, ପଞ୍ଜାବୀ, ଭୋଜପୁରୀ, ରାଜସ୍ଥାନୀ, ଓଡ଼ିଆ, ବଙ୍ଗଳା ଭଳି ଅନେକ ଭାଷାରେ ଗୀତ ଗାଇଛନ୍ତି । ସେ ଅନେକ ଭଜନ ଓ ଗଜଲ ବି ଗାଇ ପ୍ରସିଦ୍ଧି ସାଉଁଟିଛନ୍ତି ।

ସୁମନ ୧୯୩୭ ଜାନୁଆରୀ ୨୮ରେ ଢାକା (ଅବିଭାଜିତ ଭାରତ) ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ସୁମନ ହେମାଦି ଥିଲା । ୧୯୫୮ରେ ମୁମ୍ବାଇର ବ୍ୟବସାୟୀ ରାମାନନ୍ଦ କଲ୍ୟାଣପୁରଙ୍କୁ ବିବାହ ପରେ ତାଙ୍କ ନାମ ସୁମନ କଲ୍ୟାଣପୁର ହୋଇଥିଲା । ସେ ମରାଠୀ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୫୩ରେ ସେ ‘ଶୁକ୍ରାଚୀ ଚାନ୍ଦିନୀ’ ନାମକ ମରାଠୀ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ । ୧୯୫୪ରେ ‘ମଙ୍ଗୁ’ ଚଳଚ୍ଚିତ୍ର ପାଇଁ ଗୀତ ଗାଇବା ପରେ ବଲିଉଡ୍ରେ ତାଙ୍କୁ ଅଫରମାନ ଆସିଥିଲା । ସେ ମହମ୍ମଦ ରଫି, ମନ୍ନା ଡେ, କିଶୋର କୁମାର, ତଲତ୍ ମହମୁଦ ଓ ହେମନ୍ତ କୁମାରଙ୍କ ଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କ ସହ ଗୀତ ଗାଇଛନ୍ତି । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ‘କଭି ଆଜ୍, କଭି କଲ୍, କଭି ପର୍ସୋଁ’ ଡୁଏଟ ଗୀତ ଗାନ କରିଥିଲେ ସୁମନ । ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ ।

ସୁମନ କଲ୍ୟାଣପୁର ୮୫୦ରୁ ଅଧିକ ହିନ୍ଦୀ ଗୀତ ଗାଇଛନ୍ତି । ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ଆଜ୍ କଲ୍ ତେରେ-ମେରେ ପ୍ୟାର୍ କେ ଚର୍ଚେ, ନା ତୁମ୍ ହମେଁ ଜାନୋ, ପର୍ବତୋଁ କେ ପେଡୋଁ ପର୍, ମେରା ପ୍ୟାର ଭି ତୁ ହୈ ୟେ ବହାର୍ ଭି ତୁ ହୈ, ନା ନା କରତେ ପ୍ୟାର୍ ତୁମ୍ହି ସେ କର୍ ବୈଠେ, ରହେଁ ନା ରହେଁ ହମ୍ ଏବଂ ତୁମ୍ନେ ପୁକାରା ଔର ହମ୍ ଚଲେ ଆୟେ ଆଦି ରହିଛି । ଓଡ଼ିଆ ଫିଲ୍ମ ‘ଗପ ହେଲେ ବି ସତ’ର ‘ଏ ବନର ଛାଇ’ ଗୀତ ସେ ଅମିତ କୁମାରଙ୍କ ସହ ମିଶି ଗାଇଥିଲେ । ଏହା ସହ ଗୁହାରି ଶୁଣ ଭଗବାନ୍ ବି ତାଙ୍କୁ ବେଶ୍ ସଫଳତା ଦେଇଥିଲା। ପ୍ରତ୍ୟେକ ଓଡ଼ିଆ ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସୁମନଙ୍କ ବିୟୋଗରେ ପ୍ରଥମେ ଏନ୍ସିପି ନେତା ଶରଦ ପାୱାର ଏବଂ ଗାୟକ ଫୟାଜ ଶୋକବ୍ୟକ୍ତ କରିଥିଲେ ।

 

 

 

ସୌଜନ୍ୟ Prameya News7

Show More
Back to top button