ଭୁବନେଶ୍ବର/ବାଲିଅନ୍ତା ବଜାର: ବାଲିଅନ୍ତାରେ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ଭିଡ଼ ହତ୍ୟା ମାମଲାରେ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ତଦନ୍ତକାରୀ ଟିମ୍ ରାଜ୍ୟ ଅତିଥି ଭବନରେ ରେଳବାଇ ଏଡିଜି ଦୟାଲ୍ ଗଙ୍ଗ୍ୱାରଙ୍କ ଲିଙ୍କ୍ର ଖୋଳତାଡ଼ କରିଛି। ଜିଆର୍ପିର ୮ଜଣଙ୍କୁ ସେମାନେ ଜେରା କରିଥିଲେ। ଅପରାହ୍ଣରେ ତଦନ୍ତକାରୀ ଟିମ୍ ବାଲିଅନ୍ତା ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ସେଠାରୁ ଅଡ଼ଶପୁର ସ୍ଥିତ ଜିମ୍ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ସନ୍ଧ୍ୟାରେ ସୌମ୍ୟରଞ୍ଜନଙ୍କ ବାପା, ମା’ ଏବଂ ସମ୍ପର୍କୀୟଙ୍କ ବୟାନ ରେକର୍ଡ଼ କରିଛନ୍ତି। ଏନ୍ଏଚ୍ଆର୍ସି ତନାଘନା ପରେ ଏଡିଜି ଦୟାଲ୍ ଗଙ୍ଗୱାର୍, କମିସନରେଟ୍ ପୁଲିସ ଏବଂ ଜିଆର୍ପି ଅଧିକାରୀଙ୍କ ହୃତ୍ସ୍ପନ୍ଦନ ବଢ଼ିଛି।
କ୍ରାଇମ୍ବ୍ରାଞ୍ଚ, ଏନ୍ଏଚ୍ଆର୍ସିର ତନାଘନା
ପରିବାରର ବୟାନ ରେକର୍ଡ
ସକାଳ ୧୦ଟାରେ ମାମଲାରେ ଏଡିଜି ଗଙ୍ଗୱାର୍ଙ୍କ ଲିଙ୍କ୍, ସୌମ୍ୟରଞ୍ଜନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ତଦନ୍ତକାରୀ ଟିମ୍ ଜିଆର୍ପି ଡିଏସ୍ପିଙ୍କ ସମେତ ଗଙ୍ଗୱାର୍ଙ୍କ ଦୁଇ ପିଏସ୍ଓ, ୨ ଗାର୍ଡ, ୨ କେନଷ୍ଟବଳ ଓ ଜଣେ ଡ୍ରାଇଭରଙ୍କୁ ଜେରା କରିଥିଲେ। ସୌମ୍ୟରଞ୍ଜନ କେବେଠାରୁ ଗଙ୍ଗୱାର୍ଙ୍କ ଘରେ ଥିବା ଜିମ୍କୁ ଯାଉଥିଲେ, ବ୍ୟକ୍ତିଗତ କାମରେ ଲଗାଯିବା, ଡ୍ୟୁଟି ବଣ୍ଟନ ନେଇ ପଚରାଉଚରା କରିଥିଲେ। ଗଙ୍ଗୱାରଙ୍କୁ ପରେ ତଦନ୍ତକାରୀ ଟିମ୍ ପଚାରିପାର ବୋଲି ସୂଚନା ମିଳିଛି।
ଅପରାହ୍ଣ ସାଢ଼େ ୩ଟାରେ ଏନ୍ଏଚ୍ଆରସି ଟିମ୍ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ନିଲମ୍ବିତ ପିସିଆର୍ କନେଷ୍ଟବଳ ରାମଚନ୍ଦ୍ର ବେହେରାଙ୍କୁ ଜେରା କରାଯାଇଥିଲା। ଦୁର୍ଘଟଣା ସ୍ଥାନରୁ ହତ୍ୟାକାଣ୍ଡସ୍ଥଳର ଦୂରତା, ସୌମ୍ୟଙ୍କ ହାତଗୋଡ଼ ବାନ୍ଧିବାକୁ ଦଉଡ଼ି କେଉଁଠୁ ଆସିଲା, ଘଟଣାସ୍ଥଳରୁ ଥାନାର ଦୂରତା, କେତେ ସମୟ ଭିତରେ ପିସିଆର ପହଞ୍ଚିଥିଲା, ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୁଲିସ କ’ଣ ପଦକ୍ଷେପ ନେଇଥିଲା ଓ ଲୋକେ ମାଡ଼ ମାରିବା ବେଳେ ପୁଲିସ କାହିଁକି ନିରବ ଥିଲା, କେଉଁ ପରିସ୍ଥିତିରେ ସୌମ୍ୟଙ୍କୁ ପିସିଆର୍ ଭ୍ୟାନ୍ ଓ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ଟ୍ରକ୍ରେ ମେଡିକାଲ ନିଆଗଲା ସେ ନେଇ ପ୍ରଶ୍ନ କରିଥିଲେ।
ସୌଜନ୍ୟ Prameya News7

