ମହାନଗର

Theft From Buddhikeswar Temple: ବାଲିପାଟଣା ଥାନା ପାଲଟିଛି ଚୋରଙ୍କ ଭୂସ୍ବର୍ଗ, ୧୫ ଦିନ ଭିତରେ ବୁଦ୍ଧିକେଶ୍ୱର ମନ୍ଦିରରୁ ଦ୍ୱିତୀୟ ଚୋରି

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଞ୍ଚଳ ଏବେ ଚୋରଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି | ଗତ କିଛି ଦିନ ମଧ୍ୟରେ ଚୋରି, ରାହାଜାନି , ଲୁଟ,ଦିନ ଦିପହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଅବାଧ ନିଶା କାରବାର ଭଳି ବହୁ ସଙ୍ଗୀନ ମାମଲା ସ୍ଥାନୀୟ ପୁଲିସର ନିଷ୍କ୍ରିୟତାକୁ ପ୍ରମାଣିତ କରୁଛି | ଫଳରେ ସାଧାରଣ ଜନତା ଏବଂ ଦେବାଦେଵୀ ଅସୁରକ୍ଷିତ ହୋଇ ପଡିଛନ୍ତି| ଚୋରମାନେ ଠାକୁରଙ୍କୁ ବି ଛାଡୁ ନାହାନ୍ତି | ପୁଲିସ କେବଳ ଲୋକ ଦେଖାଣିଆ ଭାବେ ତଦନ୍ତ ଆଳରେ ଘଟଣାକୁ ଚାପି ଦେଉଥିବା ଅଭିଯୋଗ ହେଉଛି | ପୁଲିସର ଅପାରଗତା ଚୋରଙ୍କୁ ବେଶ ସୁହାଉଛି |

ସୂଚନା ଅନୁସାରେ, ଗତ ମାସ ୨୦ ତାରିଖରେ ବନମାଳୀପୁର ଫାଣ୍ଡି ଅଧୀନ ଦେଉଳିଧରପୁର ସ୍ଥିତ ବୁଦ୍ଧିକେଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଦାନ ହୁଣ୍ଡୀରୁ ନଗଦ ୧୩ ହଜାର ଟଙ୍କା ଓ ୨ ଟି ବଡ଼ ପିତଳ ଘଣ୍ଟି , ୨ ଟି ବଡ଼ ପିତଳ ଥାଳି , ୨ ଟି ପିତଳ ଢାଳ ଏବଂ ଗୋଟିଏ ପିତଳ ବାଲଟି ସହ ବହୁ ବାସନକୁସନ , ଗ୍ୟାସ ସିଲିଣ୍ଡର ପ୍ରଭୃତି ଚୋରି କରି ନେଇଯାଇଥିଲେ | ଉକ୍ତ ଚୋରି ଘଟଣାରେ ପୁଲିସ ତତ୍ପରତା ଦେଖାଇ ଥିଲା | ସନ୍ଧାନୀ କୁକୁର ସାହାଯ୍ୟ ନିଆଗଲା | ହେଲେ ଚୋରଙ୍କ ଟେର ମିଳି ପାରିଲା ନାହିଁ |

ଗ୍ରାମବାସୀ ପୁଣି ଏକ ଲିଖିତ ଅଭିଯୋଗ କରିଛନ୍ତି

ପୁଣି ଗତକାଲି ରାତିରେ ଦୁର୍ବୃତ୍ତମାନେ ପୁଣି ବୁଦ୍ଧିକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି | ପ୍ରଥମ ଚୋରିରେ ଛାଡି ଯାଇଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି | ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଅନୁସାରେ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ତାଲା ଭାଙ୍ଗି ମୂଲ୍ୟବାନ ସାଉଣ୍ଡ ମେସିନ ( ଆହୁଜା ) , ଷ୍ଟାଣ୍ଡ , ମାଇକ୍ରୋଫୋନ , ସାଉଣ୍ଡ ସିଷ୍ଟମ , ବୈଦୁତିକ ଉପକରଣ  ସହ ବାସନକୁସନ ଲୁଟ ହୋଇଥିବା ଜଣା ପଡିଛି | ଆଜି ସକାଳୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ତାଲା ଭଙ୍ଗା ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ | ମନ୍ଦିର ଚୋରି ବାବଦରେ ଗ୍ରାମବାସୀ ପୁଣି ଏକ ଲିଖିତ ଅଭିଯୋଗ କରିଛନ୍ତି | ପୁଲିସ ଘଟଣାକୁ କେତେ ଗମ୍ଭୀରତା ସହ ନେଉଛି ତାହା ଦେଖିବାକୁ ବାକି ରହିଛି |

 

 

 

ସୌଜନ୍ୟ Prameya News7

Show More
Back to top button