ଖେଳଦେଶ ବିଦେଶ

Serena Williams: କୁଇନ୍ସ କ୍ଲବ୍‌ରେ ଲେଉଟିବେ ଟେନିସ୍‌ କୁଇନ୍‌

ନ୍ୟୁୟର୍କ: ବୟସ ୪୪, ଦୁଇ ସନ୍ତାନର ମା’, ୪ ବର୍ଷ ହେବ ଖେଳିନାହାନ୍ତି କିନ୍ତୁ ପ୍ରତ୍ୟାବର୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଆଉ କେହି ନୁହଁନ୍ତି ଟେନିସ୍‌ ଦୁନିଆର ମହାନ ମହିଳା ଖେଳାଳି ସେରେନା ୱିଲିୟମ୍ସ। ଚଳିତ ମାସର କୁଇନ୍ସ କ୍ଲବ୍‌ ପ୍ରତିଯୋଗିତାରୁ ସେ ପ୍ରତ୍ୟାବର୍ତନ କରିବେ ବୋଲି ଘୋଷଣା ବି କରି ଦେଇଛନ୍ତି। ଫଳରେ ସେରେନା ୱିମ୍ବଲଡନ୍‌ ମଇଦାନକୁ ବି ଫେରିବାର କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। କୁଇନ୍ସ କ୍ଲବ୍‌ ପ୍ରତିଯୋଗିତା ଲାଗି ଏହି ପୂର୍ବତନ କୁଇନ୍‌ଙ୍କୁ ୱାଇଲ୍ଡ କାର୍ଡ ପ୍ରବେଶ ବି ମିଳିଯାଇଛି।

୨୦୨୨ ୟୁଏସ୍‌ ଓପନ୍‌ ପରେ ସେରେନାଙ୍କ ଏହା ପ୍ରଥମ ଡବ୍‌ଲ୍ୟୁଟିଏ ଟୁର୍‌ ଆବିର୍ଭାବ ହେବ। ରେକର୍ଡ ୨୩ ଗ୍ରାଣ୍ଡ୍‌ ସ୍ଲାମ ଟାଇଟଲ୍‌ ଜିତିଥିବା ସେରେନା ୨୦୧୭ରେ ଶେଷ ଥର ପାଇଁ ସଫଳତା ପାଇଥିଲେ। ‘କୁଇନ୍ସ କ୍ଲବ୍‌ ମୋ ପାଇଁ ପରବର୍ତୀ ଅଧ୍ୟାୟ ଆରମ୍ଭ କରିବାକୁ ଠିକଣା ସ୍ଥାନ। ଏଥି ପାଇଁ ମୁଁ ଉଲ୍ଲସିତ ଓ ଉତ୍ସାହିତ ଅଛି।’’ ବୋଲି ସେରେନା ପ୍ରକାଶ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ସେରେନା କାନାଡ଼ାର ୧୯ ବର୍ଷୀୟା ଭିକ୍ଟୋରିଆ ମୋକୋଙ୍କୁ ସାଥି କରି ଯୁଗଳ ବର୍ଗରେ ଖେଳିବେ। କୁଇନ୍ସ କ୍ଲବ୍‌ ପ୍ରତିଯୋଗିତା ଜୁନ୍‌ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଅଲ୍‌ ଇଂଲଣ୍ଡ କ୍ଲବ୍‌ର ଗ୍ରାସ କୋର୍ଟରେ ୱିମ୍ବଲଡନ୍‌ ଜୁନ ୨୯ ତାରିଖରୁ ଆରମ୍ଭ ହେଉଥିବାରୁ ସେ ଏହାକୁ ଟାର୍ଗେଟ୍‌ କରିଥିବା ବିଶ୍ବାସ କରାଯାଉଛି। କାରଣ ଏହି ଗ୍ରାସକୋର୍ଟ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ସେରେନା ୭ ଥର ଏକକ ଟ୍ରଫି ଜିତିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button