ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ତଥା ଡ୍ରଗ୍ ଚୋରାଚାଲାଣକାରୀ ମହମ୍ମଦ ସଲିମ ଡୋଲା ସହ ଜଡ଼ିତ ଏକ ଡ୍ରଗ୍ସ ଏବଂ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ମହାରାଷ୍ଟ୍ର ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଇଡି ମୁମ୍ବାଇର ୨୦ଟି ସ୍ଥାନରେ ଏବଂ ଗୁଜରାଟର ସୁରଟ, ରାଜକୋଟ ଏବଂ ଅଙ୍କଳେଶ୍ବରରେ ଚଢ଼ଉ କରିଛି। ପିଏମଏଲଏ ( ପିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ଏକ ମାମଲା ରୁଜୁ ହେବାପରେ ଇଡି ଏହି ଚଢ଼ଉ କରିଛି।
ସଲିମ ଇସମେଲ ଡୋଲା ଭାବେ ଜଣାଶୁଣା ଦାଉଦର ଏହି ସହଯୋଗୀ ନିକଟରେ ତୁର୍କୀରୁ ପ୍ରତ୍ୟର୍ପିତ ହୋଇଥିଲା ଏବଂ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଥିଲା। ସେ ଟ୍ରାନ୍ସନ୍ୟାସନାଲ ଡ୍ରଗ ଟ୍ରାଫିକିଂ ସିଣ୍ଡିକେଟ୍ର ପରିଚାଳନା କରୁଛି ବୋଲି ନାର୍କୋଟିକ୍ସ ବିରୋଧୀ ସଂସ୍ଥା ଗୁଡ଼ିକ ଅଭିଯୋଗ କରିଛନ୍ତି। ଇଡି ଅଧିକାରୀଙ୍କ ଅନୁଯାୟୀ ବେଆଇନ ନାର୍କୋଟିକ ଡ୍ରଗ୍ଦ ଚୋରାଚାଲାଣ ଅଭିଯୋଗ ନେଇ ମୁମ୍ବାଇରେ ଡୋଲା ଏବଂ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଆଧାରରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏନ୍ସିବି କହିଛି ଯେ ଡୋଲା ଗତ ୨୦ ବର୍ଷ ଧରି ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ୟୁରୋପରେ ଏକ ଡ୍ରଗ୍ ନେଟୱର୍କ ସୃଷ୍ଟି କରିଥିଲା ଏବଂ ଏନ୍ସିବି, ମହାରାଷ୍ଟ୍ର ପୁଲିସ, ଗୁଜରାଟ ଏଟିଏସ୍ ଏବଂ ଡିଆର୍ଆଇ ସମେତ ଏକାଧିକ ଭାରତୀୟ ସଂସ୍ଥା ତାକୁ ଖୋଜୁଥିଲା।
ସୌଜନ୍ୟ ସମ୍ବାଦ

