EU: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଛି କି ୟୁରୋପୀୟ ସଂଘ: ମିଳିତ ବିବୃତି ନେଇ ବଢ଼ିଲା ଚିନ୍ତା

ଇସଲାମାବାଦ: ୟୁରୋପୀୟ କମିସନର ଉପାଧ୍ୟକ୍ଷ କାଜା କାଲାସଙ୍କ ଇସଲାମାବାଦ ଗସ୍ତ ସମୟରେ ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇଛି। ଇସଲାମାବାଦରେ ପାକିସ୍ତାନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଆଲୋଚନା ପରେ ଜାରି ହୋଇଥିବା ମିଳିତ ବିବୃତିରେ ଏହା ଉଲ୍ଲେଖ କରାଯାଇଛି। ଏହି ବିବୃତି ନେଇ ଭାରତର ଚିନ୍ତା ବୃଦ୍ଧି ପାଇଛି। କାଜା କାଲାସ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଭେଟିଛନ୍ତି। କାଜା କାଲାସ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ସହ ପାକିସ୍ତାନ-ୟୁରୋପୀୟ ସଂଘ ରଣନୈତିକ ଆଲୋଚନାର ସହ-ଅଧ୍ୟକ୍ଷତା କରିଥିଲେ, ଯାହା ପରେ ଏକ ମିଳିତ ବିବୃତି ଜାରି କରାଯାଇଥିଲା। ବିବୃତିର ୧୧ ନମ୍ବର ପଏଣ୍ଟରେ ଲେଖାଯାଇଛି, ପାକିସ୍ତାନୀ ପକ୍ଷ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ସୂଚନା ଦେଇଥିଲେ। ୟୁରୋପୀୟ ସଂଘ ପକ୍ଷ ୟୁକ୍ରେନ ବିରୋଧରେ ରୁଷର ଯୁଦ୍ଧ ବିଷୟରେ ସୂଚନା ଦେଇଥିଲେ। ଉଭୟ ପକ୍ଷ ଜାତିସଂଘ ଚାର୍ଟରର ନୀତି ଅନୁଯାୟୀ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେମାନଙ୍କର ସମର୍ଥନ ପ୍ରକାଶ କରିଥିଲେ।

ବିଶେଷଜ୍ଞମାନେ ମିଳିତ ବିବୃତିର ଏପରି ପରିଭାଷାକୁ ଭାରତ ପାଇଁ ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଜମ୍ମୁ-କାଶ୍ମୀର ଏକ ଅନ୍ତର୍ଜାତୀୟ ସମସ୍ୟା ବୋଲି ୟୁରୋପୀୟ ସଂଘ ସମ୍ମୁଖରେ ଦର୍ଶାଯାଇଛି। ପ୍ରସଙ୍ଗକୁ ପାକିସ୍ତାନ ଏବଂ ତୃତୀୟ ପକ୍ଷ ୟୁରୋପୀୟ ସଂଘ ମଧ୍ୟରେ ମିଳିତ ବିବୃତିରେ ବୈଧ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦର୍ଶାଉଛି ଯେ, ଜମ୍ମୁ-କାଶ୍ମୀର କ୍ଷେତ୍ରୀୟ ଭାବରେ ଏକ ଅସମାହିତ ପ୍ରସଙ୍ଗ। ଭାରତର ସ୍ପଷ୍ଟ ସ୍ଥିତି ହେଉଛି ଯେ, ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ, ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟ ଅନ୍ତର୍ଭୁକ୍ତ।

ୟୁରୋପୀୟ ସଂଘ-ପାକିସ୍ତାନ ମିଳିତ ବିବୃତିର ଆଉ ଏକ ଆପତ୍ତିଜନକ ବୈଶିଷ୍ଟ୍ୟ ହେଉଛି ୟୁକ୍ରେନ ଏବଂ ଜମ୍ମୁ-କାଶ୍ମୀରକୁ ସମାନ ଭାବେ ସୂଚିତ କରାଯିବାର ପ୍ରୟାସ। ଏହାର ଅର୍ଥ ହେଉଛି ୟୁରୋପୀୟ ସଂଘ ଜମ୍ମୁ-କାଶ୍ମୀରକୁ ପ୍ରସଙ୍ଗକୁ ଏକ ବିବାଦ ଭାବରେ ଗ୍ରହଣ କରୁଛି, ଯାହା ପାକିସ୍ତାନ ସବୁବେଳେ ଦାବି କରିଆସୁଛି। ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ମଧ୍ୟସ୍ଥତା କରିବାରେ ପାକିସ୍ତାନର ଭୂମିକାକୁ କାଜା କାଲାସ ପ୍ରଶଂସା କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ