Sports: କ୍ରୀଡ଼ା ପରିସର ପ୍ରତିଷ୍ଠା: ସରକାରୀ ଜମି ଉପଲବ୍ଧ କରିବା ପାଇଁ ପ୍ରଶାସନର ଚିନ୍ତା

ନବରଙ୍ଗପୁର (ସୁରେଶ ନାଇଡୁ): କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମରେ ଗ୍ରାମାଂଚଳର ଲୁକ୍କାୟିତ ପ୍ରତିଭାଙ୍କୁ ପରିସ୍ପୁଟିତ କରି ସେମାନଙ୍କ ମଧ୍ୟରେ ରହିଥିବା ଖେଳକୁଦକୁ ବାହାରକୁ ଅଣାଯିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାର ୧୦ଟି ବ୍ଲକରେ କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମ ନିର୍ମାଣ ‌କରାଯିବା ପାଇଁ ଲକ୍ଷ୍ୟ ରହିଛି। ୮ରୁ ୧୦ଏକର ମଧ୍ୟରେ ବିସ୍ତୃତ ଭାବେ କମ୍ପ୍ଲେକ୍ସ ନିର୍ମାଣ ହେବ। ଏତେ ପରିମାଣର ସରକାରୀ ଜମି ମିଳିବା ପ୍ରଶାସନ ପାଇଁ ମୁଣ୍ଡବଥା ପାଲଟିଛି। ଏହାର ଅଗ୍ରଗତି ଧୀମା ଥିବାରୁ ସାଂସଦ ଇଂ.ବଳଭଦ୍ର ମାଝୀ ନିଜ ସଂସଦୀୟ କ୍ଷେତ୍ରର ସମସ୍ତ ୨୧ଟି ବ୍ଲକରେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଉପରେ କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂ ପୁନିଆଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରୁ ୩ଟିରେ ଜମି ସମସ୍ୟା, ୨ଟିର ଡିପିଆର, ଗୋଟିଏ ବ୍ଲକରେ ଇଷ୍ଟମେଟ୍  ଅନୁମୋଦନ ପାଇଁ ଲଟକିଥିବା ବେଳେ ୪ଟି ବ୍ଲକରେ ଟେଣ୍ଡର ପ୍ରକ୍ରିୟାରେ ରହିଛି। ଜିଲ୍ଲାର ୧୦ବ୍ଲକରୁ ରାଇଘର, ଚନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟିରେ ସରକାରୀ ଜମି ମିଳିପାରିନି। ରାଇଘର ବ୍ଲକରେ ୨ଟି ସ୍ଥାନ ଚୟନ କରାଯାଇଥିବା ବେଳେ ଗୋଟିଏ ଏହି ପ୍ରକଳ୍ପ ପାଇଁ ଯୋଗ୍ୟ ନୁହେଁ। ତେଣୁ ଅନ୍ୟ ଜମିକୁ ଜିଲ୍ଲାପ୍ରଶାସନ ଚୟନ କରି ମାପ ଚୁପ କରିବେ‌ ବୋଲି କହିଛନ୍ତି ଜିଲ୍ଲାକ୍ରୀଡା ଅଧିକାରୀ ସତ୍ୟଜିତ ଗାହାଣ। ଚନ୍ଦାହାଣ୍ଡି ବ୍ଲକରେ ଚହ୍ନଟ ଜମିରେ ବ୍ୟାପକ ଗଛ ଲାଗିଥିବାରୁ ଅନ୍ୟ ଜମି ଖୋଜା ଚାଳିଛି। ସରକାରୀ ଜମିର ମଧ୍ୟ ଭାଗରେ କିଛି ଘରୋଇ ଜମିଥିବାରୁ ତେନ୍ତୁଳିଖୁଣ୍ଟି ବ୍ଲକରେ ଜମି ଚିହ୍ନଟ ହୋଇପାରୁନି।

ଉମରକୋଟ ବ୍ଳକରେ ୧୮.୬୦ଏକର ଜମି ଏଥି ପାଇଁ ଚିହ୍ନଟ ହୋଇଛି। ଏଠାରେ ଇନଡୋର ହଲ୍ ବିନା କମ୍ପ୍ଲେକ୍ସ ନିର୍ମାଣ ହେବ। ସେହିପରି ଡାବୁଗାଁ ବ୍ଲକରେ ୧୨.୨୧ଏକର ଜମିରେ କମ୍ପ୍ଲେକ୍ସ ସହ ଇନଡୋର ହଲ୍  ନିର୍ମାଣ ପାଇଁ ଡିପିଆର(ସମ୍ପୁର୍ଣ୍ଣ ବିବରଣୀ ରିପୋର୍ଟ) ଅନୁମୋଦନ ପାଇଁ କାର୍ଯ୍ୟକାରୀ କରିବାକୁ ଥିବା ଗ୍ରାମ୍ୟ ବିଭାଜନ ବିଭାଗ ନିକଟରେ ଦାଖଲ କରାଯାଇଛି। ଝରିଗାଁ ବ୍ଲକରେ ୧୦.୯୯ଏକର ଜମିରେ କମ୍ପ୍ଲେକ୍ସ ଓ ଇନଡୋରହଲ୍  ନିର୍ମାଣ ପାଇଁ ଗତ ମେ’ମାସ ୩୦ତାରିଖ ଦିନ ଇଷ୍ଟିମେଟ୍ ଆରଡି ନିକଟରେ ଦାଖଲ କରାଯାଇଛି। ନବରଙ୍ଗପୁର ବ୍ଲକରେ ୮.୭୫ଏକରେ କମ୍ପ୍ଲେକ୍ସ ସହ ଇନଡୋର ହଲ୍ ୧୫.୧୧କୋଟି, ପାପାଡାହାଣ୍ଡି ୧୧.୩୮ଏକରରେ ୧୫.୭୫କୋଟି, କୋଷାଗୁମୁଡା ୧୪.୬୩ଏକରରେ ୧୫.୧୯କୋଟରେ ଟେଣ୍ଡର ପ୍ରକ୍ରିୟାରେ ରହିଛି।

 

ନନ୍ଦାହାଣ୍ଡି ବ୍ଲକରେ ୧୦ଏକରରେ ୧୬.୨୬କୋଟିରେ ଟେଣ୍ଡର ସରିବା ସହ ଠିକାଦାରଙ୍କୁ କାମ ଆରମ୍ଭ କରିବାକୁ ଚିଠି ହୋଇଛି। କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମରେ ପରିସରରେ ଫୁଟବଲ୍/କ୍ରିକେଟ୍ ପଡ଼ିଆ, ଆଥଲେଟିକ୍ ଟ୍ରାକ୍, ଇନଡୋର ହଲ୍ ଏବଂ ଭଲିବଲ୍, ଖୋ ଖୋ ଏବଂ କବାଡି ,କ୍ରିକେଟ ପଡ଼ିଆ, ଥ୍ରୋଇଂ ଏବଂ ଜମ୍ପିଂ କ୍ଷେତ୍ର ସହିତ ଆଥଲେଟିକ୍ ଟ୍ରାକ୍ ଏବଂ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ଏବଂ ଅନ୍ୟାନ୍ୟ ଇଣ୍ଡୋର ଶୃଙ୍ଖଳା ପାଇଁ ସୁବିଧା ରହିବ। ଅନୁନ୍ୟ ୩ ଜଣ ପ୍ରଶିକ୍ଷକଙ୍କୁ ରଖାଯିବ, ସିକ୍ୟୁରିଟୀ ସହ ହାଉସ କିପିଂ ରହିବେ।  ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି କରିବା ସହ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରି କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ବୋଲି କହିଛନ୍ତି ସାଂସଦ ମାଝୀ।

 

 

 

ସୌଜନ୍ୟ ସମ୍ବାଦ