
ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷରେ ଅର୍ଥନୀତିକୁ ଡବଲ୍ ଝଟକା ଲାଗିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି କମିଯିବ ଏବଂ ଦରଦାମ ବଢ଼ିଯିବ। ବିଶେଷକରି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଥିବା ନେଇ ଦର୍ଶାଯାଇଥିବାବେଳେ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଦେଶର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ କରିଥିବା ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ଭୂରାଜନୈତିକ ଅସ୍ଥିରତା, ଅଶୋଧିତ ତେଲଦର ଉଚ୍ଚସ୍ତରରେ ରହିବା ସହିତ ଏଲ୍ନିନୋ ଭାରତର ଅର୍ଥନୈତିକ ବିକାଶର ଗତିକୁ ମନ୍ଥର କରିବ। ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବାବେଳେ ଆଜି ତାହା ୬.୬ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରାଯାଇଛି। ସେହିଭଳି ଚଳିତ ଆର୍ଥିକବର୍ଷରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତକୁ ଟପିଯିବ ବୋଲି ଦର୍ଶାଇଛି।
ଚଳିତ ଆର୍ଥିକବର୍ଷର ଦ୍ବିତୀୟ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ସାର୍ବଜନୀନ କରିବା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଦେଶର ବିକାଶର ଗତି ମନ୍ଥର ହୋଇଯିବ। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ। ଯୁଦ୍ଧ ପାଇଁ ଏହା ନିଜର ପୂର୍ବ ଆକଳନ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଅନ୍ୟ ପଟେ ଦରଦାମ୍ ମଧ୍ୟ ବେଲଗାମ ହୋଇପଡ଼ିବ। ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଡେଇଁ ୫.୧ ପ୍ରତିଶତ ହୋଇଯିବ ବୋଲି ମଧ୍ୟ ଆକଳନ କରାଯାଇଛି।
ଦରଦାମକୁ ଲଗାମ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ (ଯେଉଁ ହାରରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କେନ୍ଦ୍ରୀୟ ବ୍ୟାଙ୍କଠାରୁ ସ୍ବଳ୍ପମିଆଦୀ ଋଣ ଆଣିଥାନ୍ତି) ବଢ଼ାଇବ ବୋଲି ପୂର୍ବରୁ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। କିନ୍ତୁ ମୁଦ୍ରା ନୀତି କମିଟି ସର୍ବସମ୍ମତି କ୍ରମେ ଏହାକୁ ୫.୨୫ ପ୍ରତିଶତରେ ସ୍ଥିର ରଖିଥିବା ଶ୍ରୀ ମାଲହୋତ୍ରା ସୂଚନା ଦେଇଛନ୍ତି। ଶ୍ରୀ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି କମିଟି ବ୍ୟାପକ ମାନସମନ୍ଥନ କରିବା ପରେ ଏହି ନିଷ୍ପତ୍ତି ନେଇଛି। ଗଭର୍ଣ୍ଣରଙ୍କ ଏହି ଘୋଷଣା ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ବଡ଼ ଆଶ୍ବସ୍ତି ଆଣିଛି। ସେମାନଙ୍କ ଋଣର ମାସିକ କିସ୍ତି ବା ଇଏମ୍ଆଇରେ ବର୍ତ୍ତମାନ କୌଣସି ବୃଦ୍ଧି ସମ୍ଭାବନା ନାହିଁ।
ଦେଶରୁ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନଙ୍କୁ ଶାନ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ସରକାରୀ ପ୍ରତିଭୂତି ଉପରେ ବିଦେଶୀ ନିବେଶକମାନଙ୍କ ଲାଗି ଲଗାଯାଇଥିବା ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସକୁ ହଟାଇ ଦିଆଯାଇଛି। ଅଧିକ ବିଦେଶୀ ପାଣ୍ଠି ଆଣିବା ପଥକୁ ସୁଗମ କରିବା ପାଇଁ ଅଣପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଇକ୍ବିଟିରେ ନିବେଶ ସୀମାକୁ ବୃଦ୍ଧି କରାଯାଇଛି।
ସୌଜନ୍ୟ ସମ୍ବାଦ




