Contractor Demolishes: ଫ୍ଲାଏ ଆସ୍ରେ ନିର୍ମିତ ଘର ଭାଙ୍ଗିଲା ଠିକାଦାର, ଅନ୍ୟ ପ୍ରକଳ୍ପ ଉପରେ କେବେ କାର୍ଯ୍ୟାନୁଷ୍ଠାନ ?

ଲଇକେରା: ଭାତଲଇଡା ଗ୍ରାମପଞ୍ଚାୟତରେ ସରକାରୀ ନିର୍ମାଣ କାର୍ଯ୍ୟରେ ଫ୍ଲାଏ ଆସ୍ (ପାଉଁଶ) ବ୍ୟବହାର, ନିମ୍ନମାନର କାମ ଓ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ ହେବା ପରେ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହାର ପ୍ରତିଫଳନ ସ୍ୱରୂପ ଶନିବାର ଭାତଲଇଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଫ୍ଲାଏ ଆସ୍ ବ୍ୟବହାର କରି ନିର୍ମିତ ଏକ ଘରକୁ ଠିକାଦାର ଜେସିବି ଲଗାଇ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଭାତଲଇଡା ଗ୍ରାମପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ବାଲି ବଦଳରେ ଫ୍ଲାଏ ଆସ୍ ବ୍ୟବହାର କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଅଭିଯୋଗରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭବନ, ମୁଣ୍ଡାଟିକ୍ରା ଓ ଖଜୁରୀମୁଣ୍ଡା ଗାର୍ଡୱାଲ୍, ଦେମୁଲ ଅଞ୍ଚଳରେ ନିର୍ମିତ ଘର ଏବଂ ସାପ୍ତାହିକ ହାଟର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଉଲ୍ଲେଖ ଥିଲା।
ତେବେ ପ୍ରଶ୍ନ ଉଠୁଛି, ଯଦି ନିର୍ମାଣରେ ପ୍ରକୃତରେ ନିୟମ ଉଲ୍ଲଂଘନ ହୋଇଥିଲା, ତାହେଲେ କେବଳ ଗୋଟିଏ ଘରକୁ ଭାଙ୍ଗି ଦିଆଯିବା ପଛରେ କାରଣ କଣ? ଅଭିଯୋଗରେ ଉଲ୍ଲେଖ ଥିବା ଅନ୍ୟ ଗାର୍ଡୱାଲ୍, ଘର ଓ ପ୍ରକଳ୍ପଗୁଡ଼ିକର ସ୍ଥିତି କଣ? ସେଗୁଡ଼ିକର ମଧ୍ୟ ତଦନ୍ତ ହେବ କି ନାହିଁ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସମାଜସେବୀ ଅଶୋକ ମାଝୀ, ସମିତି ସଭ୍ୟ ପପଟଲାଲ ଭୋଇ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉମାଶଙ୍କର ପ୍ରଧାନଙ୍କ କହିବା ଅନୁଯାୟୀ, ଉକ୍ତ ସମସ୍ତ କାର୍ଯ୍ୟ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ଯନ୍ତ୍ରୀ ନିୟମିତ ଭାବେ କାର୍ଯ୍ୟସ୍ଥଳ ପରିଦର୍ଶନ କରୁଥିବା ସତ୍ତ୍ୱେ ଫ୍ଲାଏ ଆସ୍ ବ୍ୟବହାର ସମ୍ପର୍କରେ ଅବଗତ ନଥିବା କଥା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏହାସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦୁର୍ନୀତିଗ୍ରସ୍ତ ସମ୍ପୃକ୍ତ ଯନ୍ତ୍ରୀ , ବିଡିଓ, ଏଇଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି ହୋଇଛି। ନଚେତ୍ ତଦନ୍ତ ବାଟବଣା ହେବାର ଆଶଙ୍କା ରହିଛି।
ଏବେ ଖବର ପ୍ରକାଶ ପାଇବା ପରେ ଏକ ଘର ଭାଙ୍ଗି ଦିଆଯାଇଥିଲେ ମଧ୍ୟ ସମଗ୍ର ଘଟଣାର ପ୍ରକୃତ ସତ୍ୟ ପଦାକୁ ଆଣିବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଜିଲ୍ଲା ପ୍ରଶାସନ କେତେ ତତ୍ପରତା ଦେଖାଉଛି, ତାହା ଉପରେ ସାଧାରଣ ଲୋକଙ୍କ ନଜର ରହିଛି ।
ସୌଜନ୍ୟ ସମ୍ବାଦ




