କଟକ: ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଓକିଲ ହେବା ସହ ପ୍ରଥମ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର, ବିଧାୟକ ଓ ମନ୍ତ୍ରୀ ଭାବେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅନେକ ଅବଦାନ ରଖି ଯାଇଛନ୍ତି। ବହୁ କ୍ଷେତ୍ରରେ ସେ ପ୍ରଥମ ହୋଇଛନ୍ତି। ତେଣୁ ଆଜିର ଓଡ଼ିଆମାନେ ସବୁକ୍ଷେତ୍ରରେ ପ୍ରଥମ ହେବାକୁ ଉଦ୍ୟମ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଉପଯୁକ୍ତ ବ୍ୟକ୍ତି ଉପଯୁକ୍ତ ପଦରେ ରହିଲେ ତାହା ସମାଜ ପାଇଁ ମଙ୍ଗଳକର ହୋଇଥାଏ। ଠିକ୍ ପଦବିରେ ଯୋଗ୍ୟ ବ୍ୟକ୍ତି ନ ରହିଲେ ତାହା ବିଭ୍ରାଟର କାରଣ ହୋଇଥାଏ ବୋଲି ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଗୋରାକବରରେ ଆୟୋଜିତ ସ୍ବାଭିମାନ ଦିବସ ସମାରୋହରେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା କହିଛନ୍ତି। ମଧୁବାବୁଙ୍କ ସମାଧିପୀଠ ଗୋରାକବରକୁ ଜଷ୍ଟିସ୍ ବେହେରା ଏକ ତୀର୍ଥକ୍ଷେତ୍ର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଭାରତୀୟଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟ ଯେପରି ଏକ ପବିତ୍ର ସ୍ଥାନ, ସେହିଭଳି ଓଡ଼ିଶାବାସୀଙ୍କ ପାଇଁ କଟକର ଗୋରାକବର ଏକ ତୀର୍ଥସ୍ଥାନ। ମଧୁବାବୁ ଥିଲେ ସ୍ବାଭିମାନୀ ଓ ସଂଗ୍ରାମୀ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛରେ ଯେଉଁ ଲଢ଼େଇ ଚାଲିଥିଲା, ତାହା ପଛରେ ମୁଖ୍ୟ ନାୟକ ଥିଲେ ମଧୁବାବୁ। ତେଣୁ ପ୍ରତ୍ୟେକ ଓଡ଼ିଶାବାସୀ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜଷ୍ଟିିସ୍ ବେହେରା ଆହ୍ବାନ ଦେଇଥିଲେ।
ଗୋରାକବରରେ ‘ସ୍ବାଭିମାନ ଦିବସ’ ସମାରୋହ
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାରରେ ମଧୁବାବୁଙ୍କ ବଡ଼ ଅବଦାନ ଥିଲା। କୌଣସି ପଦପଦବି ପ୍ରତି ତାଙ୍କର ଲାଳସା ନଥିଲା। ଜନସେବା କରିବା ପାଇଁ ଅନେକ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଭାରତବର୍ଷର ପ୍ରଥମ ମହିଳା ଓକିଲ ଭାବେ ସେ ତାଙ୍କ ଝିଅ ସୁଧାଂଶୁବାଳା ଦେବୀଙ୍କୁ ସୃଷ୍ଟି କରିଥିବାରୁ ଓଡ଼ିଶା ଆଜି ନିଜକୁ ସାରା ଦେଶରେ ଗୌରବାନ୍ବିତ ମନେ କରୁଛି ବୋଲି ଶ୍ରୀ ମହତାବ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି କଟକର ମେୟର ସୁବାସ ଚନ୍ଦ୍ର ସିଂହ କହିଥିଲେ ଯେ ମଧୁବାବୁ ହେଉଛନ୍ତି ଏ ମାଟିର ଗୌରବ ଓ ପରିଚୟ। ସମସ୍ତଙ୍କ ସହଯୋଗରେ ମଧୁବାବୁଙ୍କ ସମାଧିସ୍ଥଳର ନବୀକରଣ କରାଯାଇ ପାରିଛି। ଏ କ୍ଷେତ୍ରରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ପରାମର୍ଶ ଓ ଭୂମିକାକୁ ପ୍ରଶଂସା କରିବା ସହିତ ମଧୁବାବୁଙ୍କ ସମାଧିପୀଠର ବିକାଶ ଦିଗରେ ଆଗକୁ ଅଧିକ ପଦକ୍ଷେପ ନିଆଯିବ ବୋଲି ମେୟର ଶ୍ରୀ ସିଂହ କହିଥିଲେ।
ସମାରୋହରେ ବକ୍ତବ୍ୟ ରଖି ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ମଧୁବାବୁଙ୍କ ପାଇଁ ସବୁ ଓଡ଼ିଆଙ୍କୁ ‘ରିଟର୍ଣ୍ଣ ଗିଫ୍ଟ’ ଦେବାକୁ ପଡ଼ିବ। ଓଡ଼ିଶାର ସ୍ବାଭିମାନ ପାଇଁ ମଧୁବାବୁ ସାରା ଜୀବନ କାମ କରିଛନ୍ତି। କଟକ ତାଙ୍କର କର୍ମଭୂମି ଥିଲା। ତାଙ୍କର ସମାଧିସ୍ଥଳର ସୌନ୍ଦର୍ଯୀକରଣ ସଫଳତାର ସହ କରାଯିବା ଏକ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶାର ସ୍ବାର୍ଥ ପାଇଁ ସବୁ ବେଳେ ଚିନ୍ତା କରିଥିବା ମଧୁବାବୁଙ୍କ ପ୍ରତି କ’ଣ ଭଲ ‘ରିଟର୍ଣ୍ଣ ଗିଫ୍ଟ’ ହୋଇପାରିବ ତାହା ଉପରେ ଚିନ୍ତା କରିବାର ସମୟ ଆସିଛି। ମଧୁବାବୁଙ୍କ ଭଳି ନିସ୍ବାର୍ଥପର ଭାବେ ସମସ୍ତେ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ କଥା ଚିନ୍ତା କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ, ପୌରୁଷର ସମ୍ପାଦକ ଅସିତ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ କଟକ ସଂସ୍କରଣର ଡିଜିଏମ୍ କୃଷ୍ଣପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ