ଜାତୀୟ

Indi: ଦିଲ୍ଲୀରେ ଇଣ୍ଡି ମେଣ୍ଟ ବୈଠକ: ଯୋଗ ଦେଲେ ୨୫ ବିରୋଧୀ ଦଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଇଣ୍ଡି ମେଣ୍ଟ ବୈଠକ ହୋଇଛି। ୨୦୨୪ ‌ଲୋକସଭା ନିର୍ବାଚନ ପରେ ଇଣ୍ଡି ମେଣ୍ଟର ଏହା ପ୍ରଥମ ଔପଚାରିକ ବୈଠକ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସିର ଶୋଚନୀୟ ପରାଜୟ ପରେ ବିରୋଧୀ ଦଳଗୁଡ଼ିକ ପୁଣି ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପି ବିରୋଧରେ ଏକାଠି ହୋଇ ସେମାନଙ୍କ ରଣନୀତିକୁ କାର୍ଯ୍ୟକ୍ଷମ କରିବାପାଇଁ ଏହି ବୈଠକ ହୋଇଛି। ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ୍‌ ଅଫ୍ ଇଣ୍ଡିଆରେ ହୋଇଥିବା ବୈଠକରେ ୨୫ଟି ବିରୋଧୀ ଦଳ ଯୋଗ ଦେଇଛନ୍ତି। ତେବେ ଡିଏମ୍‌କେ ଓ ଆପ୍‌ ବୈଠକରେ ଯୋଗ ଦେଇନାହାନ୍ତି। ଡିଏମ୍‌କେ ବୈଠକରେ ଯୋଗ ଦେବନାହିଁ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲା।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବୈଠକରେ ଯୋଗ ଦେଇଥିଲେ। ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ବୈଠକରେ ଯୋଗ ଦେଇଥି‌ଲେ। ୨୫ଟି ବିରୋଧୀ ଦଳରୁ ମୋଟ୍‌ ୨୭ ଜଣ ନେତା ଆଜି ବୈଠକରେ ଉପସ୍ଥିତ ଥିଲେ।
ବୈଠକ ଶେଷ ହେବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଇଣ୍ଡି ମେଣ୍ଟରେ ୫ଟି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ‘ଭୋଟ୍‌ ଲୁଟ୍’ ଓ ନିର୍ବାଚନରେ ଜାଲିଆତି ସମେତ ଏସ୍ଆଇଆର୍ ସଂକ୍ରାନ୍ତରେ ମେଣ୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିବା ପାଇଁ ନିଷ୍ପତ୍ତି ନେଇଛି। ଏଥିସହ ନିଟ୍‌ ଓ ସିବିଏସ୍‌ଇ ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ବିରୋଧ କରି ଇଣ୍ଡି ମେଣ୍ଟ ସର୍ବସମ୍ମତିକ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବ। ଯୁବବର୍ଗକୁ ଫୋକସ୍‌ କରି ‌ମେଣ୍ଟ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି।

ଖଡ଼ଗେ କହିଛନ୍ତି, ଜାତୀୟ ରାଜନୀତିର ସମୀକ୍ଷା କରିବା ପାଇଁ ଏବଂ ରଣନୀତିରେ ସମନ୍ବୟ ରକ୍ଷା କରିବା ପାଇଁ ମେଣ୍ଟ ସହଯୋଗୀମାନେ ପ୍ରତି ୨ ମାସରେ ଥରେ ବୈଠକ କରିବେ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମେଣ୍ଟ ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବ। ବିରୋଧୀ ଦଳ ନେତାଙ୍କ ଅଫିସ୍‌ରେ ନିୟମିତ ଭାବେ ସମସ୍ତ ମେଣ୍ଟ ସହଯୋଗୀଙ୍କର ବୈଠକ ହେବ। ବୈଠକ ପରେ କଂଗ୍ରେସ ବିରୋଧୀ ଦଳ ନେତାମାନଙ୍କର ଏକ ଫଟୋ ସେୟାର କରିବା ସହ ଏହାର କ୍ୟାପ୍ସନ୍‌ ରଖିଛି ‘ୟୁନାଇଟେଡ୍‌ ୱି ଷ୍ଟାଣ୍ଡ୍‌’। ଇଣ୍ଡି ମେଣ୍ଟ ନେତାମାନେ ମଧ୍ୟ ମେଣ୍ଟରେ ଏକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଆଜି ବୈଠକରେ ଶିବସେନା ୟୁବିଟି ନେତା ଉଦ୍ଧବ ଠାକ୍‌ରେ ଓ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ହେମନ୍ତ ସୋରେନ ଉପସ୍ଥିତ ନ ଥିଲେ। କିନ୍ତୁ ସେମାନେ ଭର୍ଚୁଆଲ ଭାବେ ‌ବୈଠକରେ ଯୋଗ ଦେଇଥିଲେ।

 

 

 

ସୌଜନ୍ୟ Prameya News7

Show More
Back to top button