ଦେଶ ବିଦେଶ

TMC parliamentary party: ଟିଏମ୍‌ସି ସଂସଦୀୟ ଦଳରେ ବିଭାଜନ: ଇଣ୍ଡି ମେଣ୍ଟ ବୈଠକରେ ମମତା, ଏନ୍‌ଡିଏକୁ ଯିବେ ୨୦ ସାଂସଦ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସରେ ବିଦ୍ରୋହ ଏବେ ବିଧାୟକଙ୍କ ଭିତରେ ସୀମିତ ନ ରହି ସାଂସଦଙ୍କ ନିକଟରେ ପହଞ୍ଚିଲାଣି। ଟିଏମ୍‌ସିର ଅସନ୍ତୁଷ୍ଟ ସାଂସଦ କାକଳି ଘୋଷ ଦସ୍ତିଦାର କହିଛନ୍ତି, ଜନମତ ଦୃଷ୍ଟିରୁ ସେମାନଙ୍କ ଭବିଷ୍ୟତ ଏନ୍‌ଡିଏ ସହିତ ରହିଛି। ତାଙ୍କ ସମେତ ପାଖାପାଖି ୨୦ ସାଂସଦ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଏନ୍‌ଡିଏରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଲୋକସଭାରେ ଟିଏମ୍‌ସି ମୁଖ୍ୟ ସଚେତକ ପଦରୁ ହଟାଯିବା ପରେ କାକଳି ଅସନ୍ତୁଷ୍ଟ ଥିଲେ। ଏଥିସହିତ ଟିଏମ୍‌ସି ସାଂସଦଙ୍କ ମଧ୍ୟରେ ଅଙ୍କୁରିତ ବିଦ୍ରୋହର ବୀଜ ଏବେ ଦିଲ୍ଲୀରେ ପହଞ୍ଚିଛି।

ନିର୍ବାଚନୀ ପରାଜୟ ଓ ବିଧାୟକଙ୍କ ବିଦ୍ରୋହ ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବାକୁ ରବିବାର ଜାତୀୟ ରାଜଧାନୀରେ ପହଞ୍ଚିଥିଲେ। ସୋମବାର ଗୋଟିଏ ପଟେ କନଷ୍ଟିଚ୍ୟୁସନ୍ କ୍ଲବ୍‌ରେ ଇଣ୍ଡି ମେଣ୍ଟର ବୈଠକ ଚାଲିଥିବାବେଳେ ଅନ୍ୟପଟେ ତୃଣମୂଳ କଂଗ୍ରେସ ସାଂସଦଙ୍କ ବିଦ୍ରୋହର ସ୍ବର ସ୍ପଷ୍ଟ ହେବାରେ ଲାଗିଥିଲା। ପ୍ରଥମେ ଟିଏମ୍‌ସିର ବର୍ଷୀୟାନ୍ ନେତା ତଥା ୧୩ ବର୍ଷ ହେଲା ରାଜ୍ୟସଭାରେ ଦଳର ମୁଖ୍ୟ ସ‌ଚେତକ ଥିବା ସୁଖେନ୍ଦୁ ଶେଖର ରାୟ ଇସ୍ତଫା ଦେଇଥିଲେ। ଅଳ୍ପ ସମୟ ପରେ ଶ୍ରୀ ରାୟ ପାଞ୍ଚ ଜଣ ଟିଏମ୍‌ସି ଲୋକସଭା ସାଂସଦଙ୍କ ସହିତ ଏକ ରୁଦ୍ଧଦ୍ୱାର ଆଲୋଚନାରେ ଥିବାର ଏକ ଫଟୋ ପ୍ରକାଶ ପାଇଥିଲା। ଇଣ୍ଡି ମେଣ୍ଟ ବୈଠକ ଚାଲିଥିବା ସ୍ଥାନଠାରୁ ମାତ୍ର ଏକ କିଲୋମିଟର ଦୂରରେ ଟିଏମ୍‌ସିର ୧୨ ଜଣ ସାଂସଦ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମୋତିଲାଲ ନେହରୁ ମାର୍ଗସ୍ଥିତ ଘରେ ପହଞ୍ଚି ଗୁପ୍ତ ବୈଠକ କରିଥିଲେ।

ରିପୋର୍ଟ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପଶ୍ଚିମବଙ୍ଗ ପ୍ରଭାରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ହୋଇଥିବା ଏହି ବୈଠକରେ ଟିଏମ୍‌ସି ସାଂସଦ ଶତାବ୍ଦୀ ରାୟ, କାକଳି ଘୋଷ ଦସ୍ତିଦାର, ଅବୁ ତାହେର୍‌ ଖାନ୍‌ ଓ ଶର୍ମିଳା ସରକାର ସାମିଲ ଥିଲେ। ଏମାନଙ୍କ ବ୍ୟତୀତ ଦଳରୁ ଇସ୍ତଫା ଦେଇଥିବା ସାଂସଦ ସୁଖେନ୍ଦୁ ଶେଖର ରାୟ ଓ ବିଧାୟକ ଅଖରୁଜ୍ଜମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସରକାରୀ କାର୍ଯ୍ୟରେ ଦିଲ୍ଲୀ ଆସିଥିବା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ଯାଦବଙ୍କ ଘରେ ଉପସ୍ଥିତ ଥିଲେ। ସାଂସଦ ଶର୍ମିଳା ସରକାର ଘୋଷଣା କରିଥିଲେ ଯେ, ଆମେ ୨୦ ସାଂସଦଙ୍କ ଏକ ଅଲଗା ଗୋଷ୍ଠୀ କରିଛୁ ଓ ଏନ୍‌ଡିଏକୁ ସମର୍ଥନ କରିବୁ। ସେ ଆହୁରି କହିଥିଲେ ଯେ, କାକଳି ଘୋଷ ଦସ୍ତିଦାର ଏହି ନୂଆ ଗୋଷ୍ଠୀର ମୁଖ୍ୟ ସଚେତକ ଓ ଶତାବ୍ଦୀ ରାୟ ଉପନେତା ହେବେ। ଏହି ବିଦ୍ରୋହୀ ନେତା ଆସନ୍ତାକାଲି ଲୋକସଭା ବାଚସ୍ପତିଙ୍କ ନିକଟରେ ସେମାନେ ନିଜକୁ ପ୍ରକୃତ ତୃଣମୂଳ କଂଗ୍ରେସ ବୋଲି ଦାବି କରିବେ। ଟିଏମ୍‌ସିରେ ବିବାଦ ଏପରି ସ୍ତରରେ ପହଞ୍ଚିଛି ଯେ, ମମତା ବାନାର୍ଜୀଙ୍କୁ ଯେଉଁମାନେ ‘ଦିଦି’ ବୋଲି ସମ୍ବୋଧନ କରୁଥିଲେ ସେମାନେ ଏବେ ତାଙ୍କ ନାଁ ଧରି ସମ୍ବୋଧନ କରୁଛନ୍ତି। ଟିଏମ୍‌ସିର ୮୦ରୁ ୬୦ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀରେ ସାମିଲ ଥିବା ବେଳେ ଏହାର ସଂସଦୀୟ ଦଳରେ ବିଭାଜନ ଜଳଜଳ ଦିଶୁଛି। ସୂଚନାଯୋଗ୍ୟ ଯେ ଲୋକସଭାରେ ଟିଏମ୍‌ସିର ୨୮ ସାଂସଦ ଅଛନ୍ତି।

 

 

ସୌଜନ୍ୟ Prameya News7

Show More
Back to top button