Solar Power: ସୌରଶକ୍ତି ଆପଣାଇବାକୁ ରାଜ୍ୟପାଳଙ୍କ ଆହ୍ବାନ: ପେଟ୍ରୋଲ, ଡିଜେଲ୍ ଗାଡ଼ିକୁ ଇଭି କର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ଏହି ସଙ୍କଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌର ଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ଏହି ସଙ୍କଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌର ଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ବୁଧବାର ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି)ର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ଆୟୋଜିତ ‘‘ଫୁଡ୍, ଆଗ୍ରୋ ଆଣ୍ଡ୍ ବାୟୋଟେକ୍ ସମ୍ମିଳନୀ ୨୦୨୬’କୁ ସମ୍ବୋଧିତ କରି ସେ କହିଥିଲେ ଯେ ରୁଫ୍ଟପ୍ ସୋଲାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବ୍ସିଡି ଦେଉଛନ୍ତି। ବ୍ୟାଙ୍କଗୁଡ଼ିକ ଫାଇନାନ୍ସ ମଧ୍ୟ ପ୍ରଦାନ କରୁଛନ୍ତି। ଯେକେହି ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିପାରିବେ। ସୌର ଶକ୍ତି ଦ୍ବାରା ଲୋକମାନେ ନିଜ ପରିବହନ ଖର୍ଚ୍ଚକୁ ସମ୍ପୂର୍ଣ୍ଣ କମ୍ କରିପାରିବେ ବୋଲି ସେ କହିଛନ୍ତି।
ଏଥି ସହିତ ନିଜ ପେଟ୍ରୋଲ ଓ ଡିଜେଲ୍ ଗାଡ଼ିଗୁଡ଼ିକୁ ଇଲେକ୍ଟ୍ରିକ ଯାନ (ଇଭି)ରେ ପରିବର୍ତ୍ତନ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ। ସେ କହିଲେ, ପ୍ରତି ସଙ୍କଟକୁ ଭାରତ ସୁଯୋଗରେ ପରିଣତ କରିିଛି। କୋଭିଡ୍ ମହାମାରୀ ଭାରତକୁ ଡିଜିଟାଲ ଇଣ୍ଡିଆରେ ପରିଣତ କରିିଥିଲା। ସେହିପରି ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶ ପାଇଁ ସଙ୍କଟ ନୁହେଁ ସୁଯୋଗ ଆଣିଛି। କେନ୍ଦ୍ର ସରକାର ତେଲ ଆମଦାନି ନିର୍ଭରଶୀଳତା କମ୍ କରିବା ପାଇଁ ଇଥାନଲ ଇନ୍ଧନକୁ ବ୍ୟାପକ କରିବା ଉପରେ କାମ କରୁଛନ୍ତି। ଇ୮୫, ଇ୧୦୦ ତେଲ ଆଣିବା ଯୋଜନା ରହିଛି। ସେହି ତେଲ ଦ୍ବାରା ଚାଷୀମାନେ ସର୍ବାଧିକ ଉପକୃତ ହେବେ ବୋଲି ସେ କହିଛନ୍ତି। ଇଥାନଲ୍ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଚାଷୀମାନେ ହିଁ ଯୋଗାଇବେ ବୋଲି ରାଜ୍ୟପାଳ କହିଥିଲେ।
ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ମଞ୍ଜୁର କରାଯାଇଛି
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଶ୍ବ ତାପନ ଓ ଖାଦ୍ୟ ସୁରକ୍ଷା ଉପରେ ଆଲାକପାତ କରିଥିଲେ। ଆଧୁନିକତା ଓ ପାରମ୍ପରିକ ଚଳନୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ସେ କହିଥିଲେ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଗତ ଦୁଇ ବର୍ଷରେ ଓଡ଼ିଶାରେ ୧୧୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଥିବା ସେ ସୂଚନା ଦେଇଥିଲେ। କୃଷି ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ ଏଗ୍ରି ପ୍ରୋସେସିଂ କ୍ଲଷ୍ଟର (ଏପିସି) ଯୋଜନା ଅଧୀନରେ ୫୫୮ଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେଥିରୁ ୨୮୩ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାମ ଚାଲିଛି। ଏଥିରେ ୯୦୦୦ କୋଟି ଟଙ୍କା ନିବେଶ କରାଯାଉଛି, ଯେଉଁଥିରୁ ୭୦୦୦ କୋଟି ଟଙ୍କା ହେଉଛି ଘରୋଇ ପୁଞ୍ଜି ବୋଲି ସେ କହିଥିଲେ।
ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ରାଜ୍ୟରେ ଆମ୍ବ, କଦଳୀ ଓ କନ୍ଦମୂଳ ଆଦିର ପ୍ରକ୍ରିୟାକରଣ କରିବା, ଲହୁଣୀ ଭଳି ମୂଲ୍ୟଯୁକ୍ତ ଦୁଗ୍ଧ ଉତ୍ପାଦ ଆଣିବା ଏବଂ ଚିଲିକା ମାଛ, କନ୍ଧମାଳ ହଳଦୀ ଆଦିର ବ୍ୟାପକ ପ୍ରଚାରପ୍ରସାର କରିବାକୁ ପରାମର୍ଶ ଦେଇଥିଲେ। ଆଇସିସି ଓଡ଼ିଶାର ଅଧ୍ୟକ୍ଷ ରାଜୀବ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଆଇସିସି ଓଡ଼ିଶାର ଏଗ୍ରି ଓ ଫୁଡ୍ ପ୍ରୋସେସିଂ କମିଟିର ସଂଯୋଜକ ଶ୍ରୀରାମ ପଣ୍ଡା, ସହ ସଂଯୋଜକ କର୍ଣ୍ଣେଲ ସୁଜନ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




