Accident: ଟ୍ରକ ଧକ୍କାରେ ଅଟୋରେ ଥିବା ବାପ ଓ ଝିଅଙ୍କ ମୃତ୍ୟୁ
ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସିମେଣ୍ଟ ମିକ୍ସର ଟ୍ରକ୍(ଓଡି-୧୪-ଏଏଲ୍-୫୭୧୦) ପ୍ରଥମେ ଏକ ଇଭି ଅଟୋ(ଓଡି-୧୫-ଏବି-୨୨୩୨)କୁ ଧକ୍କା ଦେଇ ପରେ ଏକ କାର(ଓଆର-୦୨-ବିୟୁ-୩୬୧୧)କୁ ଧକ୍କା ଦେଇଥିଲା। ଫଳରେ କାରଟି ଏକ ଖାଲି ପଡ଼ିଯାଇଛି। କାରରେ କେହି ନଥିବାରୁ କାହାର କ୍ଷତି ହୋଇ ନାହିଁ। ମାତ୍ର ସୁରେନ୍ଦ୍ର(କାଳିଆ) ବେହେରା ନାମକ ଜଣେ ଅଟୋଚାଳକ ତାଙ୍କ ନାବାଳିକା ଝିଅ ଶୁଭଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ଇଭି ଅଟୋକୁ ଧନୁପାଲିର ଚାଳକ ସୁରେନ୍ଦ୍ର ନିଜେ ଚଳାଇ ତାଙ୍କ ଝିଅ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଏହି ସମୟରେ ପଛପଟୁ ଦୃତଗତିରେ ଆସି ଉକ୍ତ ସିମେଣ୍ଟ ମିକ୍ସର ଟ୍ରକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ପିତା ସୁରେନ୍ଦ୍ର ଓ ଝିଅ ଶୁଭଶ୍ରୀ ଗୁରୁତର ଆହତ ହୋଇଥିଲେ। ଦୁଘଟଣାସ୍ଥଳରେ ଥିବା ସାକ୍ଷୀ ଗୋପୀନାଥର ଭାଜପା ମଣ୍ଡଳ ସଭାପତି ବଳରାମ ମହାପାତ୍ର ତୁରନ୍ତ ୧୦୮ଆମ୍ବୁଲାନ୍ସକୁ ଫୋନ କରିବା ସହିତ ଗୁରୁତର ଆହତ ନାବାଳିକା ଶୁଭଶ୍ରୀଙ୍କୁ ନିଜ ବାଇକ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାସହ ଗୁରୁତର ଆହତ ପିତା କାଳିଆଙ୍କୁ ପ୍ରଥମେ ବୁର୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଜରୁରୀକାଳୀନ (ଇମରଜେନ୍ସି) ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ଯୁ ଘଟିଛି। ଖବର ପାଇ ଧନୁପାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ବ୍ୟବଚେଦ ପାଇଁ ପଠାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




