Raja Festival Sports: ରଜରେ କବାଡ଼ି, ଟଗ୍ ଅଫ୍ ୱାର୍ ରୋମାଞ୍ଚ; ପ୍ରଥମ ଥର ଖେଳିବେ ରାଜ୍ୟ ବାହାର ଦଳ
ଗଣପର୍ବ ‘ରଜ’ ଅବସରରେ କବାଡ଼ି ଓ ଟଗ୍ ଅଫ୍ ୱାର୍ ଭଳି ପାରମ୍ପରିକ କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ‘ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ୍’ ଅନୁକୂଲ୍ୟରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ମଦନପୁରଠାରେ ଦେଖିବାକୁ ମଳିବ ମହାଲଢ଼େଇ।

ଭୁବନେଶ୍ବର: ଗଣପର୍ବ ‘ରଜ’ ଅବସରରେ କବାଡ଼ି ଓ ଟଗ୍ ଅଫ୍ ୱାର୍ ଭଳି ପାରମ୍ପରିକ କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ‘ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ୍’ ଅନୁକୂଲ୍ୟରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ମଦନପୁରଠାରେ ଦେଖିବାକୁ ମଳିବ ମହାଲଢ଼େଇ। ଉଭୟ ମହିଳା ଓ ପୁରୁଷ ବର୍ଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଦୁଇଟି ଯାକ ଖେଳର ୧୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ପୁରୁଷ ବର୍ଗର ବିଜେତା ଦଳକୁ ୫୦ ହଜାର, ଉପବିଜେତାଙ୍କୁ ୩୦ ହଜାର ଏବଂ ମହିଳା ବିଜେତାଙ୍କୁ ୩୦ ହଜାର, ଉପବିଜେତାଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।
ସେହିଭଳି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବ୍ୟକ୍ତିଗତ ଭାବେ ପୁରସ୍କୃତ କରାଯିବ। କବାଡ଼ିରେ ଲଢ଼ିବାକୁ ଥିବା ଦଳଗୁଡ଼ିକ ଓଡ଼ିଶା ଭିତ୍ତିକ ଦଳଗୁଡ଼ିକ ହେଲେ ଜଟଣୀ, ଓ୍ବାନ୍ ଭଏସ, ଜୟ ଓଡ଼ିଶା ଆସ୍କା, ପଟ୍ଟନାୟକ କ୍ଲବ୍ ଭୁବନେଶ୍ବର, ଜିଏନ୍ଏସ୍ଓ, ସମ୍ବଲପୁର, କିଟ୍, ରେନ୍ବୋ, ନୂଆପଡ଼ା, କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ବର ଓ ଆରଏସପି। ସେହିଭଳି ରାଜ୍ୟ ବାହାରର ଦଳଗୁଡ଼ିକ ମଧ୍ୟରେ ରହିଛନ୍ତି ଛତିଶଗଡ଼, ହରିୟାଣା, ଭୋପାଳ ଓ କୋଲକାତା ପୁଲିସ ଆଦି। ଏହିଦଳଗୁଡ଼ିକ ଦଳ ଆଉ କିଛି ନୂଆ ଦଳ ମଧ୍ୟ ଟଗ୍ ଅଫ ଓ୍ବାର୍ରେ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇବେ।
ଏଥିନେଇ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ୍ର ଆବାହକ ଅର୍ଦ୍ଧେନ୍ଦୁ ଦାସ, ମଦନପୁର ପଞ୍ଚାୟତ ରଜ ମହୋତ୍ସବର ସଭାପତି ପ୍ରଫେସର ଛେନୁ ଶେଖର ପଟ୍ଟନାୟକ, ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ୍ର ସାଧାରଣ ସମ୍ପାଦକ ଅଜୟ ସାହୁ, ସଭାପତି ବ୍ରଜ କିଶୋର ଦାସ, ମହାରଣା ବୀରବର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ କାହ୍ନୁଚରଣ ମିଶ୍ର, ଏମ୍ସର ପୂର୍ବତନ ଡିରେକ୍ଟର୍ ଅଫ୍ ଆକାଉଣ୍ଟାଣ୍ଟ ଜ୍ଞାନରଞ୍ଜନ ସାହୁ, ପୂର୍ବତନ ଫୁଟବଲ ଖେଳାଳି ପ୍ରଦୀପ୍ତ କୁମାର ବଳିୟାରସିଂହ, କବାଡ଼ି ପ୍ରଶିକ୍ଷିକା ସଂହିତା ଦାସ, ଟଗ୍ ଅଫ୍ ୱାର ପ୍ରଶିକ୍ଷିକା ସବିତା ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପ୍ରତିଯୋଗିତା ନିୟମିତ ଭାବେ ଆୟୋଜିତ ହେବ ବୋଲି ଏହି ଉକ୍ତ ସମ୍ମିଳନୀରେ ଆୟୋଜକମାନେ ଘୋଷଣା କରିଥିଲେ।
ସୌଜନ୍ୟ ସମ୍ବାଦ




