ଜିଲ୍ଲାରାଜ୍ୟ

Deforestation: କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବନଧ୍ୱଂସ, ବନ ବିଭାଗର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଗଜପତି ଜିଲ୍ଲାର କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବନଧ୍ୱଂସ ଘଟଣା ସାମ୍ନାକୁ ଆସିଛି। ଏକର ଏକର ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଇ ଗଛ କାଟିବା ସହିତ ମୂଲ୍ୟବାନ ବୃକ୍ଷଗୁଡ଼ିକୁ ପୋଡ଼ି ଦିଆଯାଇଛି।

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବନଧ୍ୱଂସ ଘଟଣା ସାମ୍ନାକୁ ଆସିଛି। ଏକର ଏକର ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଇ ଗଛ କାଟିବା ସହିତ ମୂଲ୍ୟବାନ ବୃକ୍ଷଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏହି ଘଟଣା ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଉଦବେଗ ସୃଷ୍ଟି କରିଛି।

ନିଆଁ ଲଗାଯାଇଥିବା ଅଭିଯୋଗ ହେଉଛି

ସୂଚନା ଅନୁଯାୟୀ, ଜଙ୍ଗଲ ମଧ୍ୟରେ ଥିବା ବହୁ ମୂଲ୍ୟବାନ ରକ୍ତ ଚନ୍ଦନ, ଶାଳ, ଶାଗୁଆନ ଏବଂ ଅନ୍ୟାନ୍ୟ କାଠ ଜାତୀୟ ବୃକ୍ଷକୁ କାଟିବା ପରେ ସେଗୁଡ଼ିକର ଚିହ୍ନ ଲୁଚାଇବା ପାଇଁ ନିଆଁ ଲଗାଯାଇଥିବା ଅଭିଯୋଗ ହେଉଛି। ଫଳରେ ଜଙ୍ଗଲର ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ଉପରେ ଗୁରୁତର ପ୍ରଭାବ ପଡ଼ିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏତେ ବଡ଼ ଧରଣର ଗଛକଟା ଓ ଅଗ୍ନିକାଣ୍ଡ ଘଟିଥିବା ସତ୍ତ୍ୱେ ବନ ବିଭାଗ ଏ ସମ୍ପର୍କରେ ଅବଗତ ନଥିଲା କି? ନା ଜାଣିଶୁଣି ନିରବ ରହିଛି? ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନଙ୍କର ତଦାରଖ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣା ସ୍ଥଳ ଠାରୁ ମାତ୍ର କିଛି ଦୁରରେ ବନ ବିଭାଗର ବିଟ୍ ହାଉସ୍ ରହିଛି, ସ୍ବତନ୍ତ୍ର ରକ୍ତ ଚନ୍ଦନ ଜଙ୍ଗଲ ପାଇଁ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ରହିଛି। ତଥାପି ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶପ୍ରେମୀମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କିଏ ଜଙ୍ଗଲ କାଟିଲା, କେଉଁ ଉଦ୍ଦେଶ୍ୟରେ ନିଆଁ ଲଗାଗଲା ଏବଂ ଏଥିରେ କୌଣସି ବନ ମାଫିଆଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି କରିଛନ୍ତି।

ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ। ଏହାର ସୁରକ୍ଷା ଦାୟିତ୍ୱ କେବଳ ବନ ବିଭାଗର ନୁହେଁ, ବରଂ ସମଗ୍ର ସମାଜର। କିନ୍ତୁ ସଂରକ୍ଷିତ ଜଙ୍ଗଲରେ ଏଭଳି ବ୍ୟାପକ ଧ୍ୱଂସଲୀଳା ପରେ ବନ ବିଭାଗର ଭୂମିକା ଓ କାର୍ଯ୍ୟଦକ୍ଷତାକୁ ନେଇ ଏବେ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button