ଖେଳଜାତୀୟ

40-Year-Old Goalkeeper: ୧ ମ୍ୟାଚ୍‌, ୭ ବଞ୍ଚାଓ, ୫୦ ଲକ୍ଷ ପ୍ରଶଂସକ ୪୦ ବର୍ଷୀୟ ଭୋଜିନୋଙ୍କ ଆଖିରେ ଆନନ୍ଦାଶ୍ରୁ

ବିଶ୍ବକପ୍‌ର ପଦାର୍ପଣ ମ୍ୟାଚ୍‌ରେ ସେ ୭ଟି ଗୋଲ୍‌ ରକ୍ଷା କରିବା ଏବଂ ଦଳକୁ କ୍ଲିନ୍‌ ସିଟ୍‌ (ଗୋଲ୍‌ ବରଣ ନକରିବା) ପ୍ରଦାନ କରିବା ଭଳି ଉଲ୍ଲେଖନୀୟ ସଫଳତା ଦେଇଛନ୍ତି।

ଆଟଲାଣ୍ଟା: ସଂଘର୍ଷ ଭିତରେ ମିଳିଥିବା ସଫଳତାର ମଧୁର ଅନୁଭବ ସବୁଠାରୁ ନିଆରା ଓ ଚିରସ୍ଥାୟୀ। ଏହାର ଏକ ସଦ୍ୟତମ ଉଦାହରଣ ଆସିଛି ଚଳିତ ଫିଫା ବିଶ୍ବକପ୍‌ରୁ। ଆଟଲାଣ୍ଟାରେ ସୋମବାର ରାତିରେ ଖେଳାଯାଇଥିବା ସ୍ପେନ୍‌ ବିପକ୍ଷରେ ମୁକାବିଲାରେ ଐତିହସିକ ଡ୍ର’ ଅର୍ଜନ କରିଥିବା କେବ୍‌ ବର୍ଡେ ଦଳର ୪୦ ବର୍ଷ ବୟସ୍କ ଗୋଲରକ୍ଷକ ଭୋଜିନାଙ୍କ ପ୍ରଦର୍ଶନ ଏବେ ତାଙ୍କୁ ଅପ୍ରତ୍ୟାଶିତ ନାୟକ ଭାବେ ଉଭା କରାଇଛି। ବିଶ୍ବକପ୍‌ର ପଦାର୍ପଣ ମ୍ୟାଚ୍‌ରେ ସେ ୭ଟି ଗୋଲ୍‌ ରକ୍ଷା କରିବା ଏବଂ ଦଳକୁ କ୍ଲିନ୍‌ ସିଟ୍‌ (ଗୋଲ୍‌ ବରଣ ନକରିବା) ପ୍ରଦାନ କରିବା ଭଳି ଉଲ୍ଲେଖନୀୟ ସଫଳତା ଦେଇଛନ୍ତି। ଏହି ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେ‌ଷ ହୋଇଥିଲା। କିନ୍ତୁ ପୂର୍ବତନ ବିଜେତା ତଥା ବିଶ୍ବର ୨ ନମ୍ବର ମାନ୍ୟତାପ୍ରାପ୍ତ ଦଳ ସ୍ପେନ୍‌ ବିପକ୍ଷରେ ଭୋଜିନାଙ୍କ ପ୍ରଦର୍ଶନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଉଠିଛି। ଭୋଜିନାଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇପଡ଼ିଛନ୍ତି। ତାଙ୍କୁ ବି ମ୍ୟାଚ୍‌ରଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ୪୦ ବ‌ର୍ଷ ବୟସରେ ୯୫ ମିନିଟ୍‌ର ସଂଘର୍ଷ କରିଥିବା ଏହି ଖେଳାଳି ମ୍ୟାଚ୍‌ ଶେ‌ଷରେ ଭାବବିହ୍ବଳ ହୋଇଯାଇଥିଲେ।

ସ୍ପେନ୍‌କୁ ରୋକିଥିବା ଏହି ଭେଟେରାନ୍‌

ଟେଲିଭିଜନ କ୍ୟାମେରା ସାମନାରେ ଛିଡ଼ା ହେବାବେଳେ ସେ ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ ତାଙ୍କ ଆଖିରୁ ଅହରହ ଲୁହ ଝରି ଆସିଥିଲା। ଦଶନ୍ଧି ଦଶନ୍ଧିର ପରିଶ୍ରମ, ସଙ୍କଳ୍ପ, ତ୍ୟାଗ ଓ ବିଶ୍ବାସ କିଭଳି ତାଙ୍କୁ ନିଜର ଗୋଟିଏ ସ୍ବପ୍ନକୁ ସାକାର ରୂପ ଦେଇଥିଲା ସେ ନିଜକୁ ବିଶ୍ବାସ ବି କରିପାରୁନଥିଲେ। ଏହି ସ୍ମରଣୀୟ ମୁହୂର୍ତକୁ ଦେଖିବାକୁ କିନ୍ତୁ ତାଙ୍କ ମା’ଙ୍କୁ ଭିସା ମିଳିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ‘ମୋ ସ୍ବପ୍ନ ସାକାର ହୋଇଛି’ ବୋଲି କହିଥିଲେ ତାରକାଖଚିତ ସ୍ପେନ୍‌କୁ ରୋକିଥିବା ଏହି ଭେଟେରାନ୍‌। ୨୦୧୦ ବିଶ୍ବକପ୍‌ ତଥା ବର୍ତମାନର ୟୁରୋପୀୟ ବିଜେତା ସ୍ପେନ୍‌ର ଆଶାରେ ପାଣି ଭରି ଦେଇଥିବାରୁ ଭୋଜିନା ମଧ୍ୟ ନିଜକୁ ଗୌରବାନ୍ବି୍ତ ମ‌ନେ କରିଛନ୍ତି। ସେମାବାର ମ୍ୟାଚ୍‌ ପରେ ଭୋଜିନାଙ୍କ ପ୍ରଶଂସକଙ୍କ ସଂଖ୍ୟା ୫୦ ଲକ୍ଷ ଟପିଯାଇଛି। ବିଶେଷ କରି ଫେରାନ ଟୋରେସ, ଆମେରିକ୍‌ ଲାପୋର୍ଟେ, ଲାମିନ୍‌ ୟାମାଲ, ଡାନି ଓଲ୍‌ମୋ, ନିକୋ ୱିଲିୟମ୍ସଙ୍କ ଭଳି ନାମି ଫରୱାର୍ଡସଙ୍କ ଆକ୍ରମଣକୁ ପ୍ରତିହତ କରି ଦଳକୁ ୭ଟି ଗୋଲ୍‌ରୁ ବଞ୍ଚାଓ କରିଥିଲେ। ୪୦+ ବର୍ଷୀୟ ଗୋଲରକ୍ଷକଙ୍କ ମଧ୍ୟରେ ବିଶ୍ବକପ୍‌ ମଇଦାନରେ ଏହା ପୂର୍ବରୁ ନର୍ଦର୍ଣ୍ଣ ଆୟର୍ଲାଣ୍ଡ୍‌ର ପ୍ୟାଟ୍‌ ଜେନିଙ୍ଗ୍‌ସ ୧୯୮୬ ବିଶ୍ବକପ୍‌ରେ ବ୍ରାଜିଲ୍‌ ବିପକ୍ଷରେ ୧୦ ଗୋଲ୍‌ ବଞ୍ଚାଇ ଏକ ନିର୍ଦ୍ଧିଷ୍ଟ ବିଶ୍ବକପ୍‌ର ରେକର୍ଡ ରଖିଛନ୍ତି। ଭୋଜିନାଙ୍କ ପ୍ରଦର୍ଶନ ମଧ୍ୟ ମାତ୍ର ୫.୩ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେପ୍‌ ଭର୍ଡେ ଦେଶର ସୁନାମକୁ ବଢ଼ାଇଦେଇଛି। ‘ମୋ ଆଖିରେ ଲୁହ ଆସିଯାଇଥିଲା ଏଇଥି ପାଇଁ ଯେ, ମୋ ପାଇଁ ସବୁକିଛି ଥିବା ଜେଜେବାପା, ଜେଜେ ମା’ ଆଜି ନାହାନ୍ତି। ମୋ ମା’କୁ ଭିସା ମିଳିପାରିଲା ନାହିଁ, ଠିକଣା ସମୟରେ ଆବଶ୍ୟକ ଅର୍ଥ ଜମା କରିପାରିନଥିଲୁ। ମା’ ଏହି ମୁହୂର୍ତ ଦେଖିପାରିଥିଲେ ମୁଁ ଖୁସି ହୋଇଥାନ୍ତି’ ବୋଲି ଭାବବିହ୍ବଳ ଭୋଜିନା ପ୍ରକାଶ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button