Restaurant: ଜେଲ୍ରେ ଚାଲିଥିଲା ଲିଟୁଆର ରେସ୍ତୋରାଁ: ସର୍ଦ୍ଦାର କାଉ ରୋଷେୟା, ମାଛ, ଚିକେନ୍ ପ୍ଲେଟ୍ ୩୦୦, ମଟନ୍ ୫ଶହ
ଚୌଦ୍ବାର ସର୍କଲ ଜେଲ୍ରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀ ଲିଟୁଆ ବେହେରାର ଥାର୍ ଗାଡ଼ି ପଶିବା ଓ ସେ ଓ ତା’ର ସହଯୋଗୀ ରିଲ୍ସ କରିବା ଘଟଣାର ଛାନ୍ଭିନ୍ କରୁ କରୁ ଜେଲ୍ ଭିତରର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ସତ ପଦାକୁ ଆସୁଛି।

କଟକ: ଚୌଦ୍ବାର ସର୍କଲ ଜେଲ୍ରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀ ଲିଟୁଆ ବେହେରାର ଥାର୍ ଗାଡ଼ି ପଶିବା ଓ ସେ ଓ ତା’ର ସହଯୋଗୀ ରିଲ୍ସ କରିବା ଘଟଣାର ଛାନ୍ଭିନ୍ କରୁ କରୁ ଜେଲ୍ ଭିତରର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ସତ ପଦାକୁ ଆସୁଛି। ଜେଲ୍ ମାନୁଆଲ୍ ଅନୁଯାୟୀ, ଜେଲ୍ରେ ଗୋଟିଏ ମାସରେ ଦୁଇଟି ରବିବାର ମାଛ ଓ ଦୁଇଟି ରବିବାର ଚିକେନ୍ ଦିଆଯାଏ। ବୁଧବାର କଏଦୀଙ୍କୁ ଅଣ୍ଡା ଦିଆଯାଏ। ଛତୁ, ପନିର, ମଟନ୍ କିମ୍ବା ଅନ୍ୟ ଆମିଷ ଦ୍ରବ୍ୟ ଦେବା ବ୍ୟବସ୍ଥା ନାହିଁ। କିନ୍ତୁ ଜେଲ୍ରେ ଲିଟୁଆ ଏକ ସ୍ବତନ୍ତ୍ର ରେସ୍ତୋରାଁ ଖୋଲିଥିଲା। ଜେଲ୍ର ଜଣେ ସର୍ଦ୍ଦାର କାଉ ଓରଫ୍ ସନ୍ତୋଷ ରୋଷେଇ କରୁଥିଲା। ୧ ହଜାର କଏଦୀ ଜେଲ୍ରେ ରହୁଥିବା ବେଳେ ଦୈନିକ ୫୦ କଏଦୀଙ୍କ ପାଇଁ ଏହି ରେସ୍ତୋରାଁରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ମାଛ ପ୍ଲେଟ୍ ଦୁଇ ଖଣ୍ଡକୁ ୩୦୦ ଟଙ୍କା, ଚିକେନ୍ ୩ ପିସ୍କୁ ୩୦୦ ଟଙ୍କା, ମଟନ୍ ୫୦୦ ଟଙ୍କା, ଛତୁ ଓ ପନିର ୨୫୦ ଟଙ୍କା ଲେଖାଏଁ ଦର ଧାର୍ଯ୍ୟ ହୋଇଥିଲା। ପଲିଥିନ୍ରେ ପୂରାଇ କଏଦୀଙ୍କୁ ଏହି ଖାଦ୍ୟ ବିକ୍ରି କରାଯାଏ। କଟକ ସହରରୁ ସ୍ବତନ୍ତ୍ର ଭାବେ ଛେନା ବଡ଼ି ବି ଏହି ରେସ୍ତୋରାଁକୁ ଯାଉଥିଲା। ହରି ନାମକ ଜଣେ ବ୍ୟକ୍ତି ଏସବୁ ସାମଗ୍ରୀ ଜେଲ୍କୁ ନେଉଥିଲା।
ସର୍ଦ୍ଦାର କାଉ ରୋଷେୟା, ମାଛ, ଚିକେନ୍ ପ୍ଲେଟ୍ ୩୦୦, ମଟନ୍ ୫ଶହ
ମହିଳା ଜେଲ୍ ଡିଆଇଜିଙ୍କୁ ଧମକ, ‘ଜାଣିଛନ୍ତି ମୁଁ କିଏ…?’
ୱାକିଟକିରେ ଥାର୍ ଛାଡ଼ିବାକୁ କହିଥିଲେ ଭିତର ଗେଟ୍ ୱାର୍ଡର
ଆଉ ଏକ ଚାଞ୍ଚଲ୍ୟକର ଘଟଣାରେ ଜେଲ୍ କର୍ତ୍ତୃପକ୍ଷ ଆଜିଯାଏଁ ଚୁପ୍ ଅଛନ୍ତି, ଯାହାକି ଚୌଦ୍ବାର ଥାନାରେ ଏତଲା ହୋଇନି। ‘ଜେଲ୍ରେ କଏଦୀଙ୍କ କୋଠରି ଯାଞ୍ଚ ହେଉଥିଲା। ସେ ସମୟରେ ମୁଁ ଲିଟୁଆ ପକେଟରେ ହାତ ପୂରାଇ ଯାଞ୍ଚ କଲି। ପକେଟ୍ରୁ ଟଙ୍କା ମିଳିଥିଲା। ଏହାକୁ ନେଇ ମତେ ଲିଟୁଆ ନାଲିଆଖି ଦେଖାଇ ଧମକାଇଥିଲା- ମତେ କିଏ ଜାଣିଛନ୍ତି?’ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଟକ ରେଞ୍ଜ କାରାଗାର ଡିଆଇଜି ଅନସୂୟା ଜେନା। କିନ୍ତୁ ଟଙ୍କା ଜବତ ଘଟଣା ନେଇ ସେ ଚୌଦ୍ବାର ଥାନାରେ କାହିଁକି ବର୍ତ୍ତମାନ ସୁଦ୍ଧା ଅଭିଯୋଗ କରିନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଜେଲ୍ରେ କଏଦୀଙ୍କ ସେଲ୍ରୁ ଜବତ ସାମଗ୍ରୀ ସିଜର୍ ତାଲିକାରେ ଉଲ୍ଲେଖ କରିବା ପରେ ସ୍ଥାନୀୟ ଥାନାରେ ଏତଲା ଦେବା ନିୟମ ରହିଛି। ପୁଲିସ ଏହାକୁ ଜବତ କରି ତଦନ୍ତ କରିବା କଥା। କିନ୍ତୁ ଜେଲ୍ ଡିଆଇଜି ଧମକ ଘଟଣା ଓ ଟଙ୍କା ଜବତ ନେଇ କୌଣସି ଅଭିଯୋଗ ଲିଟୁଆ ବିରୋଧରେ କରିନଥିବା ଘଟଣା ଜେଲ୍ ବିଭାଗର ଅସହାୟତାକୁ ସାମନାକୁ ଆଣିଛି।
ଅନ୍ୟପଟେ ଲିଟୁଆର ଥାର୍ ଗାଡ଼ି ଜେଲ୍ ପରିସରରେ ପଶିବା ଘଟଣାରେ ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଯେଉଁ କୈଫିୟତ ତଲବ କରାଯାଇଥିଲା, ତାହାର ଉତ୍ତର ଏଯାଏଁ ଜେଲ ଡିଆଇଜିଙ୍କ ହସ୍ତଗତ ହୋଇନାହିଁ। କିନ୍ତୁ ଜେଲ୍ ବାହାର ଗେଟ୍ ୱାର୍ଡର ଦାୟିତ୍ବରେ ଥିବା ସୁଶୀଲ ଗୁରୁ ଜେଲ୍ ଡିଆଇଜିଙ୍କ ନିକଟରେ ବୟାନ ଦେଇ କହିଛନ୍ତି, ଲିଟୁଆର ଥାର୍ ଗାଡ଼ି ଛାଡ଼ିବା ପାଇଁ ସେଦିନ ଭିତର ଗେଟ୍ ଦାୟିତ୍ବରେ ଥିବା ଜଣେ ୱାର୍ଡର ବୁଦ୍ଧେଶ୍ବର ଜେନା ୱାକିଟକିରେ ତାଙ୍କୁ କହିଥିଲେ। ନିୟମ ଅନୁଯାୟୀ ଗେଟ୍ରେ ପ୍ରତି ମାସରେ ୱାର୍ଡର ବଦଳିବା କଥା। କିନ୍ତୁ ବୁଦ୍ଧେଶ୍ବର ଦୀର୍ଘ ଏକ ବର୍ଷ ହେବ ଭିତର ଗେଟ୍ ଦାୟିତ୍ବରେ ଅଛନ୍ତି। ସେ ଜେଲ୍ର ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିକଟତର ବୋଲି କୁହାଯାଉଛି। ବୁଦ୍ଧେଶ୍ବର କାହା ଇଙ୍ଗିତରେ ଲିଟୁଆର ଥାର୍ ଛାଡ଼ିବା ଭଳି ବେଆଇନ କାମ କରିବାକୁ ୱାକିଟକିରେ କହିଲେ ତାହା ଏବେ ବଡ଼ ପ୍ରଶ୍ନ।
ସୌଜନ୍ୟ ସମ୍ବାଦ




