
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୧୨୮ ଜଣ ଡାକ୍ତର (ମେଡିକାଲ୍ ଅଫିସର ଓ ଡେଣ୍ଟାଲ୍ ସର୍ଜନ୍) ପ୍ରାୟ ୫ ବର୍ଷ ହେଲା ହସ୍ପିଟାଲ୍ ଆସୁନଥିଲେ କି ରୋଗୀ ଦେଖୁନଥିଲେ। କାହିଁକି ଡାକ୍ତରଖାନା ଆସୁନାହାନ୍ତି ସେ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀ କିମ୍ବା ସ୍ବାସ୍ଥ୍ୟ ବିଭାଗରେ ମଧ୍ୟ ଜଣାଉନଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁତ ଖୋଳତାଡ଼ ହେଲା ପରେ କିଛି ଜଣାପଡ଼ିଲାନି। ଏପରିକି ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ବି ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ କିଛି ଉତ୍ତର ମିଳିଲାନି। ଶେଷରେ ଏହି ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
୫ ବର୍ଷରୁ ଅଧିକ ସମୟ ହେଲା କାମ କରୁନାହାନ୍ତି
୧୪ ବର୍ଷ ଧରି ଅନୁପସ୍ଥିତ ଡା. ବିଚକ୍ଷଣା ପାଣିଗ୍ରାହୀ ବହିଷ୍କୃତ
ସେହିପରି କନ୍ଧମାଳ ପୁଲିସ ହସ୍ପିଟାଲ୍ର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି। ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି। ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଅନୁପସ୍ଥିତିର କାରଣ ଦର୍ଶାଇବା ଏବଂ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ତାର ଅନୁପାଳନ କରିନଥିଲେ କି କୌଣସି ଉତ୍ତର ଦେଇନଥିଲେ। ରୋଗୀ ସେବାରେ ତାଙ୍କର ଏହି ଅନାଗ୍ରହ ଯୋଗୁ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ନୂଆ ନୂଆ ଡାକ୍ତରଖାନା ଖୋଲୁଛନ୍ତି। ଡାକ୍ତରଖାନାଗୁଡ଼ିକର ଆଧୁନିକୀକରଣ କରାଯାଉଛି ଏବଂ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ନୂଆ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯାଉଛି। ଏସବୁ ସତ୍ତ୍ବେ ନିଯୁକ୍ତି ପାଇବା ପରେ ଅନେକ ଡାକ୍ତର କାର୍ଯ୍ୟରେ ଯୋଗ ନ ଦେଇ ଅନୁପସ୍ଥିତ ରହୁଛନ୍ତି। ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ।
ସୌଜନ୍ୟ ସମ୍ବାଦ




