ଜିଲ୍ଲାରାଜ୍ୟ

ଭୁଲ୍‌ ତଥ୍ୟ ଦେଉଛନ୍ତି ଅଧିକାରୀ: ଗୋଦାମରେ ବହି, କେମିତି ବାଣ୍ଟିଲେ ୯୪%, ୧,୭୭,୭୫୨ ପିଲାଙ୍କୁ ଆବଶ୍ୟକ ୧୨, ୯୨,୨୦୦ ବହି

ସରକାରଙ୍କୁ ଭୁଲ୍‌ ତଥ୍ୟ ଦେଉଛନ୍ତି ଅଧିକାରୀ। ଛପା ଯାଇଥିବା ଭୁଲ୍‌ ବହି ପିଲାଙ୍କୁ ବାଣ୍ଟିଲେ, ସେଥିରେ ବି ବ୍ୟତିକ୍ରମ। ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ପାଠ୍ୟପୁସ୍ତକ ମିଳିନି।

ମଳୟ ରଂଜନ ସାହୁ

ରାଉରକେଲା: ସରକାରଙ୍କୁ ଭୁଲ୍‌ ତଥ୍ୟ ଦେଉଛନ୍ତି ଅଧିକାରୀ। ଛପା ଯାଇଥିବା ଭୁଲ୍‌ ବହି ପିଲାଙ୍କୁ ବାଣ୍ଟିଲେ, ସେଥିରେ ବି ବ୍ୟତିକ୍ରମ। ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ପାଠ୍ୟପୁସ୍ତକ ମିଳିନି। କିନ୍ତୁ ବଣ୍ଟନ ଦାୟିତ୍ବରେ ଥିବା କେତେକ ଅଧିକାରୀ ୯୨%ରୁ ୯୬% ପର୍ଯ୍ୟନ୍ତ ବହି ବଣ୍ଟା ସରିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭୁଲ୍‌ ରିପୋର୍ଟ ଦେଉଛନ୍ତି। ଜିଲ୍ଲାର ଅନେକ ବ୍ଲକ୍‌ ଗୋଦାମରେ ଏବେ ହଜାର ହଜାର ବହି ଗଚ୍ଛିତ ରହିଛି। ବିଦ୍ୟାଳୟରେ ପହଞ୍ଚିନି କି ପିଲାଙ୍କୁ ବଣ୍ଟାଯାଇ ନାହିଁ। ଯେମିତି ବିଶ୍ରା ବ୍ଲକ୍‌ରେ ୯୪% ବହି ବଣ୍ଟା ସରିଛି ବୋଲି ସମଗ୍ର ଶିକ୍ଷା କାର୍ଯ୍ୟାଳୟରୁ କୁହାଯାଉଛି। ହେଲେ ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ରାଉରକେଲା ଓ କିଛି ପଞ୍ଚାୟତରେ ସ୍କୁଲ ପିଲାମାନେ ବହି ପାଇନାହାନ୍ତି।

କୁହାଯାଉଛି ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏସ୍‌ଆଇଆର୍‌ କାମରେ ଅଛନ୍ତି। ତେଣୁ ସେମାନେ ବହି ନେଇ ନାହାନ୍ତି। ଯଦି ଶିକ୍ଷକ, ଶିକ୍ଷୟିତ୍ରୀ ବହି ନେଇନାହାନ୍ତି, ତା’ ହେଲେ ଏମିତି ଭୁଲ୍‌ ରିପୋର୍ଟ କାହିଁକି ଦିଆଯାଉଛି। ସେହି ସମାନ ସ୍ଥିତି ଗୁରୁଣ୍ଡିଆ, ନୂଆଗାଁ, ଲାଠିକଟା, ଲହୁଣିପଡ଼ା, କୋଇଡ଼ା, କୁଆରମୁଣ୍ଡା, ବାଲିଶଙ୍କରା, ସବ୍‌ଡେଗା, ଲେଫ୍ରିପଡ଼ା ବ୍ଲକ୍‌ର କିଛି ପଞ୍ଚାୟତରେ ପରିଲକ୍ଷିତ ହେଉଛି। ଯେଉଁମାନେ ଏଭଳି ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେଉଛନ୍ତି ‌ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।

ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ର ୧୭ ବ୍ଲକ୍‌ରେ ୧୨ ଲକ୍ଷ ୯୨ ହଜାର ୨୦୦ ବହିର ଆବଶ୍ୟକତା ରହିଛି। ଆଜି ପର୍ଯ୍ୟନ୍ତ ୧୨ ଲକ୍ଷ ୨୩ ହଜାର ୮୩୨ ବହି ବଣ୍ଟା ସରିଥିବା କୁହାଯାଉଛି। ଏଥିମଧ୍ୟରେ ବାଲିଶଙ୍କରା ବ୍ଲକ୍‌ରେ ୫୯,୨୦୦ ବହିର ଆବଶ୍ୟକତା ଥିବାବେଳେ ବଣ୍ଟନ ସରିଛି ୫୬,୪୭୫ (୯୫%)। ସେହିପରି ବଡ଼ଗାଁରେ  ୪୭, ୭୦୦ରୁ  ୪୫,୦୦୦ (୯୫%), ବିଶ୍ରାରେ ୧,୯୦,୪୦୦ରୁ ୧,୭୯,୫୦୦ (୯୪%), ବଣାଇରେ ୫୪,୩୫୦ (୯୪%), ଗୁରୁଣ୍ଡିଆ ବ୍ଲକ୍‌ରେ ୫୭,୧୦୦ରୁ ୫୩,୮୦୦  (୯୪%) ବହି ବଣ୍ଟା ସରିଛି। ‌ହେମଗିରିରେ ୬୦, ୨୦୦ରୁ ୫୭,୫୮୦ (୯୫%), କୋଇଡ଼ାରେ ୧,୦୦,୦୦୦ରୁ ୯୪,୫୫୦ (୯୪%), କୁଆରମୁଣ୍ଡାରେ ୧,୦୩,୬୦୦ରୁ ୯୮,୯୯୨ (୯୫%), କୁତ୍ରାରେ ୬୨,୨୦୦ରୁ ୫୯,୮୫୦ (୯୬%), ଲାଠିକଟାରେ ୮୬,୩୦୦ରୁ ୮୭,୯୩୫ (୧୦୧%) ବହି ବଣ୍ଟା ସରିଛି ବୋଲି ତଥ୍ୟ ଦିଆଯାଇଛି। ଲହୁଣିପଡ଼ା ବ୍ଲକ୍‌ରେ ୯୨,୦୦୦ ବହି ଆବଶ୍ୟକ ଥିବାବେଳେ  ୮୪,୭୦୦ (୯୨%),  ଲେଫ୍ରିପଡ଼ାରେ ୬୦,୩୦୦ରୁ ୫୬,୯୦୦ (୯୪%), ନୂଆଗାଁରେ ୭୬,୬୦୦ରୁ ୭୧,୫୦୦ (୯୪%), ରାଜଗାଙ୍ଗପୁରରେ ୮୭,୬୦୦ରୁ ୮୧,୬୦୦ (୯୩%), ସୁନ୍ଦରଗଡ଼ରେ ୬୪,୪୦୦ରୁ  ୬୦,୦୦ (୯୩%), ସବ୍‌ଡେଗାରେ ୪୩,୧୦୦ରୁ ୩୯,୯୦୦ (୯୨%) ଓ ଟାଙ୍ଗରପାଲି ବ୍ଲକ୍‌ରେ ୪୩,୮୦୦ରୁ ୪୧,୦୦୦ (୯୩%) ବହି ବଣ୍ଟା ସରିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button