
ବ୍ରହ୍ମପୁର: ତିନିମାସ ହେଲା ଭତ୍ତା ନ ପାଇବାରୁ କୀଟନାଶକ ପିଇ ବି. ସାବିତ୍ରୀ ଦୋରାଙ୍କ ଆତ୍ମହତ୍ୟା ଘଟଣା ପରେ ଚର୍ଚ୍ଚାକୁ ଆସିଛି ଗଞ୍ଜାମଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟ ପଞ୍ଚାୟତର ଚଢ଼େୟାପଡ଼ା ଗ୍ରାମ। ଏଠାରେ କେବଳ ଭତ୍ତା ନୁହେଁ, ଆବାସ ଯୋଜନା ବି ମୁହଁମାଡ଼ି ପଡ଼ିଛି। ବର୍ଷ ବର୍ଷ ଧରି ଆବାସ ପାଇଁ ନେହୁରା ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଚାଲିଥିବା ଅଭିଯୋଗ ହେଉଛି।
ଚଢ଼େୟାପଡ଼ାର ଗୁରା ଦୋରା ଓ ପତ୍ନୀ ସାନ୍ତାମା ଦୋରା। ଉଭୟଙ୍କ ବୟସ ୭୦ ପାର କରିସାରିଲାଣି। ପରିଣତ ବୟସରେ ଏହି ବୃଦ୍ଧ ଦମ୍ପତି ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ନାହିଁ। ଫଳରେ ଗାଈ ସହ ଗୋଟିଏ ଚାଳଛପର ଘରେ ସେମାନେ ରହୁଛନ୍ତି। ଏହି ଗୁହାଳଘରଟି ହିଁ ଗୁରା ଓ ସାନ୍ତାମାଙ୍କ ପାଇଁ ସବୁ କିଛି। ରୋଷେଇ, ଖାଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଏହି ଗୁହାଳ ହିଁ ଭରସା। ଗାଈ ଓ ଦମ୍ପତିଙ୍କ ମଧ୍ୟରେ କେବଳ ଗୋଟିଏ ବାଉଁଶବାଡ଼ ପଡ଼ିଛି। ବର୍ଷା ହେଲେ ଛପରରୁ ପାଣି ଗଳୁଥିବା ବେଳେ ଖରାରେ ଅସହ୍ୟ ଗରମ। ଏଭଳି ପରିସ୍ଥିତିରେ ତିନିମାସ ହେଲା ଭତ୍ତା ମିଳି ନ ଥିବାରୁ ସେମାନଙ୍କ ଦୁଃଖ ଆହୁରି ବଢ଼ିଯାଇଛି।
ଗୁରା କହିଛନ୍ତି, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅର ବାହାଘର ସରିଥିବା ବେଳେ ପୁଅ ନିଜ ପରିବାର ସହ ଅନ୍ୟତ୍ର ରହୁଛି। ୧୦ ବର୍ଷ ହେଲା କେହି ତାଙ୍କ ଖବର ରଖିନାହାନ୍ତି। ଯେଉଁ ହାତ ଦିନେ ପୁଅକୁ ବଡ଼ କରିଥିଲା, ସେହି ହାତ ଏବେ ବୟସର ଭାରରେ ଥରିଲାଣି। ସରକାରୀ ସହାୟତା କହିଲେ ୧୦ କେଜି ରାସନ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। କିନ୍ତୁ ଏବେ ତିିନିମାସ ହେଲା ଭତ୍ତା ମିଳୁ ନଥିବାରୁ ପେଟକୁ ଦୁଇଓଳା ଦାନା ଯୋଗାଡ଼ କରିବା କାଠିକର ହେଉଛି। ବୃଦ୍ଧ ବୟସରେ ଗୁରା ଏବେ ଦିନମଜୁରିଆ ଭାବେ କାମ କରୁଛନ୍ତି। କିନ୍ତୁ କାମ କରିବାକୁ ଶରୀର ଆଉ ଅନୁମତି ଦେଉନି ବୋଲି ସେ କହିଛନ୍ତି। ଆବାସ ପାଇଁ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଥିବା ବେଳେ ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ଅଧିକାରୀମାନେ ବାରମ୍ବାର ସର୍ଭେ କରୁଛନ୍ତି। ଘର ମିଳିବ ବୋଲି କହୁଛନ୍ତି। କିନ୍ତୁ ପକ୍କାଘର ଖଣ୍ଡିଏ ସେମାନଙ୍କ ପାଇଁ ସାତସପନ ପାଲଟିଛି। କେବଳ ଗୁରା ଓ ସାନ୍ତାମା ନୁହନ୍ତି, ବର୍ତ୍ତମାନ ଚଢ଼େୟାପଡ଼ା ଗ୍ରାମରେ ବହୁ ବୃଦ୍ଧ ଦମ୍ପତି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଗ୍ରାମର ଶଶି ଦାସ ବଞ୍ଚିବା ପାଇଁ ଭତ୍ତା ଉପରେ ନିର୍ଭରଶୀଳ। କିନ୍ତୁ ୩ ମାସ ହେଲା ଭତ୍ତା ମିଳି ନଥିବାରୁ ସେ ଭିକମାଗି ଚଳୁଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ




