
ଭୁବନେଶ୍ବର/କେନ୍ଦୁଝର: ରାଜ୍ୟର ଶତାଧିକ ଗାଁରେ ନାହିଁ ମୋବାଇଲ୍ ନେଟ୍ୱର୍କ। ଏହି ସମସ୍ୟା ଦୂର କରିବାକୁ ୨୫ଟି ଜିଲ୍ଲାରେ ୭୦୭ଟି ନୂଆ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଆବଶ୍ୟକ ହେଉଥିବା ୨୦୦୦ ବର୍ଗଫୁଟ ଜମି ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜମି ମିଳିବା ପରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ। ଏ ସଂକ୍ରାନ୍ତରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ଯଥାଶୀଘ୍ର ଟାୱାର ସ୍ଥାପନ ପାଇଁ ‘ନୋ ଅବଜେକ୍ସନ୍ ସାର୍ଟିଫିକେଟ୍’ (ଏନ୍ଓସି) ହାସଲ କରିବା ସହିତ ବିଏସ୍ଏନ୍ଏଲ୍କୁ ଜମି ହସ୍ତାନ୍ତର କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। କିଛି ଜିଲ୍ଲା ତ୍ବରିତ ପଦକ୍ଷେପ ଗ୍ରହଣ କରିଥିବାରୁ ୨୯୪ଟି ସ୍ଥାନ ପାଇଁ ଏନ୍ଓସି ମିଳିସାରିଛି। ରାଜ୍ୟର ଦୁର୍ଗମ ଓ ଉପେକ୍ଷିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ୍ ସେବାରେ ଉନ୍ନତି ଆଣିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ଜମି ଚିହ୍ନଟ କରି ହସ୍ତାନ୍ତର କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।
ଜମି ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
କେନ୍ଦୁଝରର ୨୩୦ ଗାଁରେ ନାହିଁ ମୋବାଇଲ୍ ନେଟ୍ୱର୍କ
ଭାରତ ନେଟ୍ ଯୋଜନାର ତୃତୀୟ ପର୍ଯ୍ୟାୟରେ ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ଯ୍ୟକୁ ଆଗାମୀ ୩ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩,୬୦୨ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ୬୮୩ଟିର ନିର୍ମାଣ କାମ ଚାଲିଛି। ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାର ଅନେକ ଗାଁରେ ଦୁର୍ବଳ ସିଗ୍ନାଲ୍ ଯୋଗୁଁ ଟେଲି ଯୋଗାଯୋଗ ଓ ଅନ୍ଲାଇନ୍ ସେବା ବାଧାପ୍ରାପ୍ତ ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଡିଜିଟାଲ୍ କ୍ଷେତ୍ରରେ ସେ ସମସ୍ୟା ଦୂରୀଭୂତ ହେବ।
ବର୍ଷବର୍ଷ ଧରି ମୋବାଇଲ୍ ନେଟ୍ୱର୍କ ସେବାରୁ କେନ୍ଦୁଝର ଜିଲ୍ଲାର ଶତାଧିକ ଗାଁ ବଞ୍ଚିତ ହୋଇଛି। ଏହିସବୁ ଗାଁର ଲୋକେ ଗାଁ ବାହାର ଅବା ବଜାରକୁ ଆସି ମୋବାଇଲ୍ ବ୍ୟବହାର କରୁଛନ୍ତି। ଜିଲ୍ଲାର ୨୩୦ଟି ଗାଁରେ ମୋବାଇଲ୍ ନେଟ୍ୱର୍କ ନାହିଁ। ଏଥିରେ ବାଂଶପାଳ ବ୍ଲକ୍ରେ ସର୍ବାଧିକ ୧୨୮ଟି ଗାଁ ରହିଛି। ସେହିପରି ଆନନ୍ଦପୁର ବ୍ଲକ୍ରେ ୨୬ଟି, ଘସିପୁରା ବ୍ଲକ୍ରେ ୨ଟି, ଘଟଗାଁ ବ୍ଲକ୍ରେ ୯ଟି, ହରିଚନ୍ଦନପୁର ବ୍ଲକ୍ରେ ୨୩ଟି, ହାଟଡିହିରେ ୧୧ଟି, ଝୁମ୍ପୁରାରେ ୭ଟି, ଯୋଡ଼ାରେ ୨୦ଟି, ପାଟଣାରେ ୩ଟି ଏବଂ ତେଲକୋଇ ବ୍ଲକ୍ରେ ଏଭଳି ୪୮ଟି ଗାଁ ରହିଛି। ଅଧିକ ପ୍ରଭାବିତ ହେଉଛି ବାଂଶପାଳ ବ୍ଲକ୍ର ବାରାଗଡ଼, ଗୋନାସିକା, କୁମୁଣ୍ଡି, ସାହରପୁର, ତଳକାଦକଳା, ଶୁଆକାଟି, ତଳଚମ୍ପେଇ, ଟଣ, ତରମାକାନ୍ତ, ସିଂପୁର ଭଳି ପଞ୍ଚାୟତ। ବାଂଶପାଳ ବ୍ଲକ୍ର ମୁଖ୍ୟାଳୟ ହେଉଛି ସାହରପୁର ପଞ୍ଚାୟତ। ଏହି ପଞ୍ଚାୟତର କସଡ଼ା, ଖୁଣ୍ଟାକଟା, ପାଦଖସଡ଼ା ଏବଂ ଲୁଙ୍ଗାଝରରେ ମୋବାଇଲ ନେଟ୍ୱର୍କ ନାହିଁ। ଏବେ ଲୁଙ୍ଗାଝର ଗାଁରେ ମୋବାଇଲ୍ ନେଟ୍ୱର୍କ ପାଇଁ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୫୦ଟି ମୋବାଇଲ୍ ଟାୱାର ପାଇଁ ଜମି ଯୋଗାଇ ଦିଆଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୫୭ଟି ଟାୱାର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି। ୫୦ଟି ଟାୱାର ପାଇଁ ଜମି ଚିହ୍ନଟ ସରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ଟାୱାର ପାଇଁ ଜମିର ଏନ୍ଓସି ପ୍ରଦାନ କରାଯାଇଛି। ସ୍ଥାପନ ହେଉଥିବା ନୂଆ ଟାୱାର ମଧ୍ୟରୁ ୮୦ ପ୍ରତିଶତ ଟାୱାର ବାଂଶପାଳ ବ୍ଲକ୍ ଅଞ୍ଚଳରେ ବୋଲି ବିଏସ୍ଏନ୍ଏଲ୍ର ଡେପୁଟି ଜେନେରାଲ୍ ମ୍ୟାନେଜର ସୁରେଶ ନାଏକ କହିଛନ୍ତି।
ସୌଜନ୍ୟ ସମ୍ବାଦ




