ଜାତୀୟ

FIFA World Cup viral moments : ଖେଳାଳି ନୁହେଁ, ଏମାନେ ହିଁ ଫିଫା ବିଶ୍ୱକପ୍ ର ଷ୍ଟାର ! ଓସିଟୋ ଓ ମର୍ଲିନ ଜିତିଲେ ଫ୍ୟାନଙ୍କ ହୃଦୟ…

ସବୁଠି ଏବେ ଫିଫା ବିଶ୍ୱକପ୍ ର କ୍ରେଜ୍। ସମସ୍ତଙ୍କ ନଜର ଷ୍ଟାର ଖେଳାଳି, କୋଚ ଓ ଖେଳ ଉପରେ। ରହିବା ବି ସ୍ୱଭାବିକ କଥା। କିନ୍ତୁ ଚଳିତ ଫିଫା ବିଶ୍ୱକପ୍ରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୁକୁର ଓ ବତକ। କୁକୁରର ନାଁ 'ଓସିଟୋ' ଓ 'ମର୍ଲିନ'ର ନାଁ ବତକ। ଦୁହେଁ ବିଶ୍ୱକପ୍ ର ଷ୍ଟାର୍ ପାଲଟିଛନ୍ତି। ସେମାନଙ୍କର ମଜାଦାର ଉପସ୍ଥିତି ଏବଂ ମାଲିକଙ୍କ ସହ ଅତୁଟ ସମ୍ପର୍କ ଲକ୍ଷ ଲକ୍ଷ ଫୁଟବଲ୍ ପ୍ରେମୀଙ୍କ ହୃଦୟ ଜିଣିଛି। ଯାହା ଏହେ ସୋସିଆଲ୍ ମିଡିଆରେ ଖୁବ୍ ଜୋରେ ହେଉଛି ଭାଇରାଲ୍।

ନୂଆଦିଲ୍ଲୀ : ସବୁଠି ଏବେ ଫିଫା ବିଶ୍ୱକପ୍ ର କ୍ରେଜ୍। ସମସ୍ତଙ୍କ ନଜର ଷ୍ଟାର ଖେଳାଳି, କୋଚ ଓ ଖେଳ ଉପରେ। ରହିବା ବି ସ୍ୱଭାବିକ କଥା। କିନ୍ତୁ ଚଳିତ ଫିଫା ବିଶ୍ୱକପ୍ରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୁକୁର ଓ ବତକ। କୁକୁରର ନାଁ ‘ଓସିଟୋ’ ଓ ବତକର ନାଁ ‘ମର୍ଲିନ’। ଦୁହେଁ ବିଶ୍ୱକପ୍ ର ଷ୍ଟାର୍ ପାଲଟିଛନ୍ତି। ସେମାନଙ୍କର ମଜାଦାର ଉପସ୍ଥିତି ଏବଂ ମାଲିକଙ୍କ ସହ ଅତୁଟ ସମ୍ପର୍କ ଲକ୍ଷ ଲକ୍ଷ ଫୁଟବଲ୍ ପ୍ରେମୀଙ୍କ ହୃଦୟ ଜିଣିଛି। ଯାହା ଏହେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ହେଉଛି ଭାଇରାଲ୍।

ବିଶ୍ୱକପ୍‌ରେ ନୂଆ ସେଲିବ୍ରିଟି ‘ଓସିଟୋ’

ଆଠ ବର୍ଷ ବୟସର ଓସିଟୋ । ମେକ୍ସିକୋରେ ଆୟୋଜିତ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଦିନ ସେ ନିଜ ମାଲିକ ଜର୍ଜ ରେଙ୍ଗେଲଙ୍କ ସହ ଏକ ସାଇକେଲରେ ଷ୍ଟାଡିୟମରେ ପହଞ୍ଚିଥିଲା। ସେ ସେମିତି ଆସିନଥିଲେ। ତାଙ୍କୁ ଦେଖିବାକୁ ମିଳିଥିଲା ଜବରଦସ୍ତ ଆଉଟଫିଟରେ। ମେକ୍ସିକୋ ଦଳର ସବୁଜ ଜର୍ସି, ଷ୍ଟାଇଲିସ୍ ସନ୍ ଗ୍ଲାସ୍ ଏବଂ ଟୋପି ପିନ୍ଧିଥିଲେ। ତାଙ୍କୁ ଯିଏ ଦେଖୁଥିଲା କ୍ଷଣିକେ ଅଟକି ଯାଉଥିଲା। ଗ୍ୟାଲେରୀରେ ହଜାର ହଜାର ପ୍ରଶଂସକ ଓସିଟୋର ଫ୍ୟାନ୍ ହୋଇଯାଇଥିଲେ। କିଏ ସେଲ୍ଫି ନେଉଥିଲେ, କିଏ ଭିଡିଓ କରୁଥିଲେ, ଆଉ କିଏ ସୋସିଆଲ ମିଡିଆରେ ତା’ର ଫଟୋ ସେୟାର କରୁଥିଲେ। କେବଳ କିଛି ଘଣ୍ଟା ମଧ୍ୟରେ ଓସିଟୋଙ୍କ ଫଟୋ ଓ ଭିଡିଓ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା।

କୁକୁର ନୁହେଁ, ପରିବାରର ସଦସ୍ୟ

ଓସିଟୋର ମାଲିକ ୫୦ ବର୍ଷୀୟ ଜର୍ଜ ରେଙ୍ଗେଲ କହିଛନ୍ତି, “ଓସିଟୋ ମୋ ପାଇଁ କେବଳ ଗୋଟିଏ କୁକୁର ନୁହେଁ, ସେ ମୋର ପ୍ରତିଦିନର ସାଥୀ।” ଗତ ଦୁଇ ବର୍ଷ ହେଲା ସେ ପ୍ରତିଦିନ ନିଜ ସାଇକେଲରେ ଡେଲିଭରୀ କାର୍ଯ୍ୟ କରେ। ସେହି ସାଇକେଲର ପଛପଟେ ଓସିଟୋ ପାଇଁ ଏକ ସ୍ୱତନ୍ତ୍ର ଆରାମଦାୟକ ସ୍ଥାନ ତିଆରି କରାଯାଇଛି। ସେଠାରେ ବସି ଓସିଟୋ ସହର ବୁଲିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଚୁପଚାପ ଦେଖିଥାଏ। ଏବେ ଦୁହେଁ ସହରର ଏକ ପରିଚିତ ମୁହଁ ପାଲଟିଯାଇଛନ୍ତି।

ଓସିଟୋ ସହ ଦେଖା କରିବାକୁ ଭିଡ଼

ଓସିଟୋର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଆକର୍ଷିତ କରେ। ଛୋଟ ପିଲାମାନେ ତାକୁ ଦେଖି ଦୌଡ଼ି ଆସନ୍ତି। ଅନେକେ ତା’ ସହ ଫଟୋ ଉଠାନ୍ତି। ଏପରିକି କିଛି ଲୋକ ତାକୁ ପ୍ରଥମେ ଖେଳନା କୁକୁର ବୋଲି ଭାବି ବସନ୍ତି, କାରଣ ସେ ଘଣ୍ଟା ଘଣ୍ଟା ଧରି ଶାନ୍ତ ଭାବେ ବସି ରହିଥାଏ। ରେଙ୍ଗେଲ ବିଶ୍ୱକପ୍ ପାଇଁ ଓସିଟୋଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥିଲେ। ତା’ ପାଇଁ ଖାସ୍ ସନ୍ ଗ୍ଲାସ୍ ଆଣିଥିଲେ, ସାଇକେଲକୁ ସଜାଇଥିଲେ ଏବଂ ମେକ୍ସିକୋ ଜାତୀୟ ଦଳର ରଙ୍ଗର ପୋଷାକ ପିନ୍ଧାଇଥିଲେ। ସେ କହିଛନ୍ତି, “ଲୋକଙ୍କ ଭଲପାଇବା ମୋର ଆଶାଠାରୁ ବହୁତ ଅଧିକ ଥିଲା।”

ଦୁଃଖ ସମୟରେ ହୋଇଥିଲା ସାଥୀ

ରେଙ୍ଗେଲଙ୍କ ଜୀବନର ଏକ କଷ୍ଟକର ସମୟରେ ଓସିଟୋ ତାଙ୍କ ଜୀବନକୁ ଆସିଥିଲା। ସେ କହିଛନ୍ତି, “ଓସିଟୋ ଆସିବା ପୂର୍ବରୁ ମୁଁ କୌଣସି ପ୍ରାଣୀକୁ ଏତେ ଭଲପାଇବାର ଅନୁଭବ କ’ଣ ତାହା ଜାଣିନଥିଲି।” ଦୁହେଁ ପ୍ରାୟ ସବୁ ସମୟ ସାଙ୍ଗରେ ରୁହନ୍ତି। ରେଙ୍ଗେଲ ଯଦି କେବେ ଓସିଟୋକୁ ଛାଡ଼ି କେଉଁଠି ଯାଆନ୍ତି, ସେ ଭୁକି ନିଜର ଭଲପାଇବା ପ୍ରକାଶ କରିଥାଏ। ରାସ୍ତାରେ ଅନେକ ଅଜଣା ଲୋକ ଆସି କହନ୍ତି ଯେ, ଓସିଟୋକୁ ଦେଖି ସେମାନଙ୍କ ଦିନଟି ଖୁସିରେ କଟିଯାଏ। ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନ ବଦଳିନାହିଁ। ପ୍ରତିଦିନ ସକାଳେ ଦୁହେଁ ପୁଣି ସାଇକେଲରେ ବାହାରି ପଡ଼ନ୍ତି ଏବଂ ଲୋକଙ୍କ ମୁହଁରେ ହସ ଫୁଟାନ୍ତି।

ବତକ ‘ମର୍ଲିନ’ ମଧ୍ୟ ପାଲଟିଲା ଷ୍ଟାର

ଓସିଟୋ ପରେ ଆଉ ଏକ ପାଳିତ ବତକ ‘ମର୍ଲିନ’ ମଧ୍ୟ ବିଶ୍ୱକପ୍ର ଚର୍ଚ୍ଚିତ ମୁହଁ ପାଲଟିଛି। ମେକ୍ସିକୋ ଦଳ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ପରାସ୍ତ କରିବା ପରେ ମେକ୍ସିକୋ ସିଟିର ରିଫର୍ମା ଆଭେନ୍ୟୁରେ ହଜାର ହଜାର ସମର୍ଥକ ଉତ୍ସବ ପାଳନ କରୁଥିଲେ। ସେହି ସମୟରେ ମେକ୍ସିକୋ ଦଳର ଛୋଟ ଜର୍ସି ଓ ବିଶେଷ ମୋଜା ପିନ୍ଧିଥିବା ମର୍ଲିନ ଭିଡ଼ ଭିତରେ ବୁଲୁଥିବା ଦେଖାଯାଇଥିଲା। ତାକୁ ଦେଖି ଲୋକମାନେ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଖୁବଶୀଘ୍ର ମର୍ଲିନର ଭିଡିଓ ଭାଇରାଲ୍ ହୋଇଯାଇଥିଲା।

“ମୁଁ ମର୍ଲିନର ମା'”

ମର୍ଲିନର ମାଲିକା କାର୍ଲା ଗୋମେଜ୍ ମେକ୍ସିକୋ ସିଟିରେ ରାସ୍ତାକଡ଼ରେ ପାନୀୟ ବିକ୍ରି କରନ୍ତି। ସେ ନିଜ ପୁଅ କ୍ରିଷ୍ଟିଆନ ଓ ମର୍ଲିନକୁ ସାଙ୍ଗରେ ନେଇ କାମ କରନ୍ତି। ଗୋମେଜ୍ କହିଛନ୍ତି, ” ମର୍ଲିନ୍ ଆମ ପରିବାରର ସଦସ୍ୟ ପରି। ଆମେ କେବେ ଭାବିନଥିଲୁ ଯେ, ସେ ଏତ ଜଲ୍ଦି ଏତେ ଲୋକପ୍ରିୟ ହୋଇଯିବ।” ଏବେ ପ୍ରତିଦିନ ଲୋକମାନେ ମର୍ଲିନ ସହ ସେଲ୍ଫି ନେବାକୁ ଅଟକି ଯାଉଛନ୍ତି। ଗୋମେଜ୍ କହିଛନ୍ତି, “ମୁଁ ମର୍ଲିନର ମା’। ଲୋକମାନେ ମୋ ବତକକୁ ଏତେ ଭଲପାଉଥିବା ଦେଖି ମୁଁ ବହୁତ ଖୁସି।”

ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ବିଜୟ ପାଇଁ ସଂଘର୍ଷ କରୁଥିବା ବେଳେ, ଓସିଟୋ ଓ ମର୍ଲିନ ପଡ଼ିଆ ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣୁଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ବଡ଼ ବଡ଼ କ୍ରୀଡ଼ା ଆୟୋଜନ କେବଳ ଖେଳ ପାଇଁ ନୁହେଁ, ବରଂ ଭଲପାଇବା, ମାନବିକତା ଏବଂ ଅପ୍ରତ୍ୟାଶିତ ଖୁସିର ମୁହୂର୍ତ୍ତ ପାଇଁ ମଧ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିଥାଏ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button