ଛତିଶଗଡ଼ର ରହସ୍ୟମୟୀ ମୃତ୍ୟୁ ଘଟଣା ଗାଁରେ ଖେଳାଉଛି ଆତଙ୍କ
ଛତିଶଗଡ଼ରେ ଏକ ରହସ୍ୟମୟ ଘଟଣା ଘଟିଛି ଯାହା ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଯାହାର ପ୍ରକୃତ କାରଣ ଆଜି ଯାଏଁ ବି ପୋଲିସ ପତ୍ତା ଲଗାଇପାରୁନି ।

ଛତିଶଗଡ଼ରେ ଏକ ରହସ୍ୟମୟ ଘଟଣା ଘଟିଛି ଯାହା ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଯାହାର ପ୍ରକୃତ କାରଣ ଆଜି ଯାଏଁ ବି ପୋଲିସ ପତ୍ତା ଲଗାଇପାରୁନି । ଛତିଶଗଡ଼ର ବାଲୋଦାବଜାର ଜିଲ୍ଲାର ଖାରୱେ ଗାଁରେ ଗତ କିଛି ମାସ ହେବ ଆଠ ଜଣଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି ଯାହା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଥିଲା । ଗାଁରେ ଏହି ଘଟଣା ବିଷାକ୍ତ ମଦ ନା କଳାଯାଦୁ ନା କାହାର ଷଡ଼ଯନ୍ତ୍ର ଦ୍ୱାରା ଘଟୁଛି ତାହା ଜଣାପଡ଼ୁନି । ଘଟଣାକୁ ନେଇ ଏବେ ବି ଅନେକ ଦାବି ଉଠିଛି । ମୃତକଙ୍କ ମଧ୍ୟରେ ବଦ୍ରି ପ୍ରସାଦ ପଟେଲ, ବତୁଲୁ ସାହୁ, ଛତୁରାମ ସାହୁ, ବୁଧରାମ ଜୟସୱାଲ, ବିନୋଦ ସାହୁ, ଗଜାନନ୍ଦ ମାଝୀ , ଚୈତୁରାମ ସାହୁ ଏବଂ ମହେତାରୁ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ ସାତ ଜଣଙ୍କୁ ଦାହ କରାଯାଇଥିଲା, ଜଣଙ୍କୁ କବର ଦିଆଯାଇଥିଲା ।
ସୂଚାନୁଯାୟୀ କିଛି ଦିନ ତଳେ ଲଗାତାର ଜଣକ ପରେ ଜଣଙ୍କ ହଠାତ ମୃତ୍ୟୁ ହୋଇଥିଲା । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜୁନ୍ ୧୩ ତାରିଖରେ ମହେତାରୁ ସାହୁଙ୍କ ମୃତଦେହ ବାହାର କରାଯାଇଥିଲା ଏବଂ ଜୁନ୍ ୧୬ ତାରିଖରେ ଅନ୍ୟ ଛଅ ଜଣଙ୍କ ମୃତଦେହ ପୋଷ୍ଟମର୍ଟମ୍ ଏବଂ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଥିଲା। ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ଜଣେ ସ୍ଥାନୀୟ ବାସିନ୍ଦା ରାମସେ ଜୟସୱାଲ ମଦରେ ବିଷାକ୍ତ ପଦାର୍ଥ ମିଶାଇ ଲୋକଙ୍କୁ ଦେଉଥିବା ନେଇ କୁହାଯାଉଛି । ତାଙ୍କ ମତରେ ମୃତକଙ୍କ ମଧ୍ୟରୁ ଅନେକ ସେମାନଙ୍କ ମୃତ୍ୟୁ ପୂର୍ବରୁ ଏହି ମଦ ପିଇଥିଲେ ଏବଂ ଅନ୍ୟମାନେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ।
ଗାଁର ପଞ୍ଚାୟତ ପ୍ରତିନିଧି କହିଛନ୍ତି ଯେ ସମସ୍ତ ୮ ଜଣ ମୃତକଙ୍କ ପରିସ୍ଥିତି ସମାନ ଥିଲା ଯାହାକୁ ନେଇ ଏବେ ସନ୍ଦେହ ଉପୁଜିଛି । ଜଣେ ଗ୍ରାମବାସୀ ଦାବି କରିଛନ୍ତି, ସେ ସମାନ ମଦ ପିଇଥିଲେ କିନ୍ତୁ ବାନ୍ତି ଓ ଅଚେତ ହେବା ପରେ ବି ସେ ଜୀବିତ ଅଛନ୍ତି । ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି ରାମସେ ଜୟସୱାଲ ପ୍ରାୟତଃ ତାନ୍ତ୍ରିକ ରୀତିନୀତି ଏବଂ ଉତ୍ସବ ବିଷୟରେ ଆଲୋଚନା କରୁଥିଲେ । ଯାହାକୁ ନେଇ ଗାଁରେ କଳାଯାଦୁ ଭଳି ଗୁଜବ ବ୍ୟାପୁଛି | କିନ୍ତୁ ପୋଲିସ ସ୍ପଷ୍ଟ କରିଛି ଯେ କଳାଯାଦୁ , କୌଣସି ଷଡ଼ଯନ୍ତ୍ର ସହିତ ଜଡିତ କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଏହା ମଧ୍ୟ ଦାବି କରୁଛନ୍ତି ଯେ ମୋଟ ୧୨ ଜଣଙ୍କୁ ଟାର୍ଗେଟ କରାଯାଇଥିଲା , କିନ୍ତୁ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ନବମ ବ୍ୟକ୍ତି ଅସୁସ୍ଥ ହେବାରୁ ସନ୍ଦେହ କରି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସମଗ୍ର ଗାଁରେ ବର୍ତ୍ତମାନ ଭୟ ଏବଂ ଉତ୍ତେଜନାର ବାତାବରଣ ରହିଛି । ତେବେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା , ଯାହା ଏହି ରହସ୍ୟମୟୀ ଘଟଣା ଉପରୁ ଉଠାଇବ ପରଦା ।
ସୌଜନ୍ୟ Prameya News7




