ବିଶେଷ

World Snake Day: ବିଶ୍ବ ସାପ ଦିବସ

ପ୍ରତି ବର୍ଷ ଜୁଲାଇ ୧୬ରେ ପାଳିତ ହୁଏ ବିଶ୍ବ ସାପ ଦିବସ। ଏହି ଅନ୍ତର୍ଜାତୀୟ ଦିବସ ପାଳନର ଉଦ୍ଦେଶ୍ୟ ହେଲା ସାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସାପ ନେଇ ରହିଥିବା ନକାରାତ୍ମକ ଧାରଣା ଦୂର କରିବା ଏବଂ ପରିସଂସ୍ଥାରେ ଏମାନଙ୍କ ଗୁରୁତ୍ବକୁ ଉତ୍‌ଥାପନ କରିବା।

ପ୍ରତି ବର୍ଷ ଜୁଲାଇ ୧୬ରେ ପାଳିତ ହୁଏ ବିଶ୍ବ ସାପ ଦିବସ। ଏହି ଅନ୍ତର୍ଜାତୀୟ ଦିବସ ପାଳନର ଉଦ୍ଦେଶ୍ୟ ହେଲା ସାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସାପ ନେଇ ରହିଥିବା ନକାରାତ୍ମକ ଧାରଣା ଦୂର କରିବା ଏବଂ ପରିସଂସ୍ଥାରେ ଏମାନଙ୍କ ଗୁରୁତ୍ବକୁ ଉତ୍‌ଥାପନ କରିବା। ପୃଥିବୀରେ ପ୍ରାୟ ୩୯୦୦ ପ୍ରଜାତିର ସାପ ଦେଖାଯାଆନ୍ତି। ସାପ କାମୁଡ଼ାରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଜୀବନ ଯାଇଥାଏ, ତେଣୁ ସାପକୁ ସମସ୍ତେ ଭୟ କରିବା ସ୍ବାଭାବିକ। କିନ୍ତୁ ସାପଙ୍କ ସମ୍ପର୍କରେ ଅନେକ ଭୁଲ୍‌ ଧାରଣା ମଧ୍ୟ ରହିଆସିଛି, ଯେଉଁ କାରଣରୁ ସାପକୁ ଲୋକମାନେ ଦେଖିଲା ମାତ୍ରେ ମାରିଦେବା ଉଚିତ ମନେ କରନ୍ତି। ସେଭଳି କେତେ ଭୁଲ୍‌ ଧାରଣା ଓ ବାସ୍ତବତା ବିଷୟରେ ଜାଣିବା।

 

 ସାପ ହିଂସ୍ର: ବାସ୍ତବରେ ଅଧିକାଂଶ ସାପ ଲାଜକୁଳା ଏବଂ ମଣିଷଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି। ସେମାନେ ଆତଙ୍କିତ ଅବସ୍ଥାରେ ହିଁ ଚୋଟ ମାରନ୍ତି।

 ସାପ ଆକ୍ରମଣ କରିବାକୁ ଗୋଡ଼ାଏ: ସାପମାନେ କାହାରିକୁ ଆକ୍ରମଣ କରିବାକୁ ଗୋଡ଼ାନ୍ତି ନାହିଁ। ଯଦି ସାପ ଆପଣଙ୍କ ଆଡ଼କୁ ମାଡ଼ି ଆସୁଥିବା ଭଳି ଲାଗୁଛି ତେବେ ସେ ଅଜାଣତରେ ଲୁଚିବା ପାଇଁ ସ୍ଥାନ ଖୋଜିବା ପ୍ରକ୍ରିୟାରେ ଆପଣଙ୍କ ଦିଗକୁ ଆସୁଥାଇପାରେ।

 ସବୁ ସାପ ବିଷଧର: ପୃଥିବୀରେ ଦେଖାଦେଉଥିବା ୩୯୦୦ ପ୍ରକାର ସାପଙ୍କ ମଧ୍ୟରୁ ମାତ୍ର ୧୫ରୁ ୨୦% ବିଷଧର। ମାତ୍ର ୬% ଏଭଳି ସାପ ପ୍ରଜାତି ଅଛନ୍ତି ଯେଉଁମାନଙ୍କ ଚୋଟରେ ମଣିଷ ଜୀବନ ଯିବା ସମ୍ଭବ।

 ସାପ କ୍ଷୀର ପିଏ: ସାପ କ୍ଷୀର ପିଏ ନାହିଁ କି କ୍ଷୀର ହଜମ କରିବାକୁ ଆବଶ୍ୟକ ଏଞ୍ଜାଇମ୍‌ ତା’ ଦେହରେ ନଥାଏ।

 ସାପ ଏକ ଅଶୁଭ ପ୍ରାଣୀ: ଅଗଣିତ ଜୀବମାନଙ୍କ ପରି ସାପ ପ୍ରକୃତିର ଏକ ସୃଷ୍ଟି। ତା’ର ଉଦ୍ଦେଶ୍ୟ ମଣିଷର ହାନି କରିବା ନୁହେଁ, ନିଜେ ତିଷ୍ଠି ରହିବା। ତେଣୁ ସାପ ସହିତ ଶୁଭଅଶୁଭ କଥା ଯୋଡ଼ି ଅଯଥା ଭୟ ସୃଷ୍ଟି କରିବା ଅନୁଚିତ। ବରଂ, ସାପମାନଙ୍କ ଉପସ୍ଥିତି ଏକ ସୁସ୍ଥ ପରିସଂସ୍ଥାର ସଂକେତ।

ତେଣୁ ଘରେ କିମ୍ବା ଆଖପାଖରେ ସାପ ଦେଖିଲେ ତା’ ଠାରୁ ଦୂରେଇ ରହନ୍ତୁ ଏବଂ ବନବିଭାଗକୁ ଖବର ଦିଅନ୍ତୁ। ତାକୁ ଉଦ୍ଧାର କରି ଜନବସତିଠାରୁ ଦୂର ସ୍ଥାନରେ ଛାଡ଼ିଦେବା ହେଉଛି ସର୍ବଶ୍ରେଷ୍ଠ ବିକଳ୍ପ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button