ଦେଶ ବିଦେଶ

Supremecourt: ଶିଶୁ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା: ଘରୋଇ ହସ୍ପିଟାଲକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଭର୍ତ୍ସନା

ଉତ୍ତରପ୍ରଦେଶର ଗାଜିଆବାଦରେ ୪ ବର୍ଷର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସମୟମତେ ଚିକିତ୍ସା ନ ମିଳିବାରୁ ମୃତ୍ୟୁ ଘଟିଥିବା ମାମଲାରେ ସୁପ୍ରିମ୍‌କୋର୍ଟ ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେଠାକାର ଡାକ୍ତରମାନଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ୪ ବର୍ଷର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସମୟମତେ ଚିକିତ୍ସା ନ ମିଳିବାରୁ ମୃତ୍ୟୁ ଘଟିଥିବା ମାମଲାରେ ସୁପ୍ରିମ୍‌କୋର୍ଟ ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେଠାକାର ଡାକ୍ତରମାନଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଗରିବ ହୋଇଥିବାରୁ ଶିଶୁଟିକୁ ଅବହେଳା କରାଯାଇଥିଲା। ଏଭଳି କାମ କରୁଥିଲେ ନିଜ ନାମ ଆଗରେ ‘ଡାକ୍ତର’ ଲେଖିବାର ଅଧିକାର ନାହିଁ।

ଚଳିତ ବର୍ଷ ମାର୍ଚ୍ଚ ୧୬ରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ, ଜଣେ ପଡ଼ୋଶୀ ଚକୋଲେଟ୍‌ କିଣିଦେବାର ପ୍ରଲୋଭନ ଦେଖାଇ ଶିଶୁଟିକୁ ଘରୁ ନେଇଯାଇ ଦୁଷ୍କର୍ମ କରିଥିଲା। ପରେ ସେ ରକ୍ତାକ୍ତ ଓ ଅଚେତ ଅବସ୍ଥାରେ ମିଳିଥିଲା। ପରିବାର ଲୋକ ପ୍ରଥମେ ଦୁଇଟି ଘରୋଇ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଭର୍ତ୍ତି କରାଯାଇ ନ ଥିଲା। ପରେ ଜିଲ୍ଲା ହସ୍ପିଟାଲକୁ ନେବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶିଶୁଟିର ବାପା କହିଥିଲେ, ଘଟଣାସ୍ଥଳରୁ ଉଦ୍ଧାର ପରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେ ବଞ୍ଚିଥିଲା ଏବଂ ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ତା’ର ଜୀବନ ବଞ୍ଚିପାରିଥାନ୍ତା। ସୁପ୍ରିମ୍‌କୋର୍ଟ ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ମଧ୍ୟ ଏହି ଅଭିଯୋଗରେ ସତ୍ୟତା ଥିବା କହିଛି।

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ଯଦି ହସ୍ପିଟାଲରେ ଆବଶ୍ୟକ ସୁବିଧା ନ ଥିଲା, ତେବେ ଶିଶୁଟିକୁ ଅନ୍ୟ ହସ୍ପିଟାଲକୁ ପହଞ୍ଚାଇବାର ବ୍ୟବସ୍ଥା କରିବା ଉଚିତ ଥିଲା। ସମ୍ବେଦନଶୀଳତାର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଛି। ଦଣ୍ଡ ସ୍ୱରୂପ ପୀଡ଼ିତାଙ୍କ ପରିବାରକୁ ସ୍ୱେଚ୍ଛାକୃତ ଆର୍ଥିକ ସହାୟତା ଦେବାକୁ ହସ୍ପିଟାଲଗୁଡ଼ିକୁ କୁହାଯାଇଛି। ତାହା ନ କଲେ ଆଦାଲତ ଖର୍ଚ୍ଚ ଆଦାୟ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକାକୁ ନେଇ ମଧ୍ୟ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରିବାର ପକ୍ଷରୁ ତୁରନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନ ଥିଲା। ବରଂ ପରିବାର ସହ ଅସଦ୍‌ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି। ପରେ ବିବାଦ ବଢ଼ିବା ପରେ ମାର୍ଚ୍ଚ ୧୭ରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା ଏବଂ ପରଦିନ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତେବେ ଏଫ୍‌ଆଇଆର୍‌ରେ ପୋକ୍ସୋ ଆଇନ ଓ ଦୁଷ୍କର୍ମ ସମ୍ପର୍କିତ ଧାରା ଉଲ୍ଲେଖ ନ ଥିବାକୁ ମଧ୍ୟ ଆଦାଲତ ଏହାକୁ ଗୁରୁତର ବିଷୟ ବୋଲି ଦର୍ଶାଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button