World-class state library: ଘୋଷଣାରେ ସୀମିତ ବିଶ୍ୱସ୍ତରୀୟ ରାଜ୍ୟ ଗ୍ରନ୍ଥାଗାର: ଦୁଇ ବର୍ଷରେ ସରିଛି ମାତ୍ର ୫୦ ପ୍ରତିଶତ କାମ
ବିଶ୍ବସ୍ତରୀୟ ହେବ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଖଣି ନିଗମ (ଓଏମ୍ସି)ର ମିଳିତ ଆନୁକୂଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରୀକରଣ କରାଯିବ।

ଭୁବନେଶ୍ୱର: ବିଶ୍ବସ୍ତରୀୟ ହେବ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଖଣି ନିଗମ (ଓଏମ୍ସି)ର ମିଳିତ ଆନୁକୂଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରୀକରଣ କରାଯିବ। ଏଠାରେ ୫୦୦ ଛାତ୍ରଛାତ୍ରୀ ଏକ ସମୟରେ ବହି ପଢ଼ିବାର ଅତ୍ୟାଧୁନିକ ବ୍ୟବସ୍ଥା, ଆହାର କେନ୍ଦ୍ର ଓ ମିସନ ଶକ୍ତି କାଫେ ମଧ୍ୟ ଖୋଲିବ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିବ। ଲାଇବ୍ରେରିରେ ଥିବା ସମସ୍ତ ବହିକୁ ଡିଜିଟାଇଜ୍ଡ କରିବା ପାଇଁ ଯୋଜନା ରହିଛି। ସେହିପରି ଛୋଟ ପିଲା ଓ ବିଭିନ୍ନ ଭାଷାର ପୁସ୍ତକ ପାଇଁ ଅଲଗା ସେଲ୍ ରହିବ। ୨୦୨୪ ଫେବ୍ରୁଆରିରେ ଭୁବନେଶ୍ୱରସ୍ଥିତ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରିରେ ପରିଣତ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରି ଏଭଳି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ମାତ୍ର ୫୦ ପ୍ରତିଶତ କାମ ସରିପାରିଛି।
ଅନ୍ୟପକ୍ଷରେ, ଏଠାରେ ସିଟ୍ ସଂଖ୍ୟା ସୀମିତ ରହିଛି। ପ୍ରତିଦିନ ପଢ଼ିବା ପାଇଁ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆସୁଥିବା ବେଳେ ସିଟ୍ ସଂଖ୍ୟା ପାଖାପାଖି ୬୦୦ ରହିଛି। ପୁଣି ନବୀକରଣ ଚାଲିଥିବାରୁ ପଢ଼ିବା ପାଇଁ ଆବଶ୍ୟକ ହଲ୍ ନଥିବାରୁ ଅନେକ ନିରାଶ ହୋଇ ଫେରୁଛନ୍ତି। ସିଟ୍ ନଥିବା ଯୋଗୁ କିଛି ପିଲା ତଳେ ବସି ମଧ୍ୟ ପାଠ ପଢ଼ୁଛନ୍ତି। ସେହିପରି ରାଜଧାନୀର ଛାତ୍ରଛାତ୍ରୀ ସଂଖ୍ୟା ବଢ଼ୁଥିବା ବେଳେ ମାତ୍ର ସାତ ହଜାର ପାସ୍ ବଣ୍ଟା ହୋଇଛି। ପାଠାଗାର ପରିଚାଳନା ପାଇଁ ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଆବଶ୍ୟକ ଥିଲେ ମଧ୍ୟ ବର୍ତ୍ତମାନ ଏଠାରେ ୧୭ଜଣ ସ୍ଥାୟୀ ଓ ଆଉଟସୋର୍ସିଂକୁ ମିଶାଇ ପାଖାପାଖି ୩୫ କର୍ମଚାରୀ ଅଛନ୍ତି। ବର୍ତ୍ତମାନ ଏଠାରେ ପ୍ରାୟ ୩ ଲକ୍ଷ ପୁସ୍ତକ ରହିଥିବା ବେଳେ ମାତ୍ର ୩୬ ହଜାର ପୁସ୍ତକ ଡିଜିଟାଇଜ୍ଡ ହୋଇପାରିଛି। ନବୀକରଣ ଚାଲିଥିବାରୁ ପ୍ରବେଶ ଓ ପ୍ରସ୍ଥାନରେ ନିର୍ମାଣ ବର୍ଜ୍ୟ ଗଦା ହୋଇଛି। ଫଳରେ ଛାତ୍ରଛାତ୍ରୀମାନଙ୍କ ସାଇକେଲ, ଗାଡ଼ି ଆଦି ପାର୍କିଂ କରିବାକୁ ସ୍ଥାନାଭାବ ଦେଖାଦେଇଛି। ଏପର୍ଯ୍ୟନ୍ତ ମିସନ ଶକ୍ତି କାଫେ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ଖୋଲିପାରିଲା ନାହିଁ। ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ କେବଳ ଶୌଚାଳୟ ବ୍ୟବସ୍ଥା ହିଁ ହୋଇପାରିଛି।
ଏନେଇ ପାଠାଗାରର ଜଣେ ଅଧିକାରୀଙ୍କ କହିଛନ୍ତି ଯେ ଖୁବ୍ଶୀଘ୍ର ନବୀକରଣ ସାରିବାର ଲକ୍ଷ୍ୟ ରହିଛି। ଲାଇବ୍ରେରି ପରିଚାଳନା ପାଇଁ ଆବଶ୍ୟକ ଉପକରଣ ପ୍ରାୟ ଆସିଗଲାଣି। ପାଠାଗାରରେ ସ୍ୱତନ୍ତ୍ର ବଗିଚା ଓ ପାର୍କିଂ ପାଇଁ ଟେଣ୍ଡର ହୋଇଛି। ପିଲାଙ୍କ ମନୋବଳ ବଢ଼ାଇବା ପାଇଁ ମୋଟିଭେସନାଲ୍ ଟକ୍, ବହି ପ୍ରଦର୍ଶନୀ ଓ ବିଭିନ୍ନ ଦିବସରେ ଆଲୋଚନା ମଧ୍ୟ ହେଉଛି। ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ରୢାମ୍ପ, ବ୍ରେଲ୍ କକ୍ଷ ଆଦି ରହିବ। ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ଓ ପୁସ୍ତକ ରହିବ। ସେହିପରି ଡିଜିଟାଇଜ୍ଡ କାମ ମଧ୍ୟ ଚାଲିଛି।
ସୌଜନ୍ୟ ସମ୍ବାଦ




