Shree Mandir: ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଘୋର ଅବହେଳା, ଦଦରା କିରୀଟ ପିନ୍ଧୁଛନ୍ତି, ଭଙ୍ଗା ପଲଙ୍କରେ ଶୋଉଛନ୍ତି, କୁଆଡେ ଗଲା ଗଜଦନ୍ତ ପଲଙ୍କ ?

ପୁରୀ,୨୧/୦୭: ସାରା ଜଗତର ମାଲିକାଣୀଙ୍କ ପାଇଁ ଭଲ ପଲଙ୍କଟିଏ ନାହିଁ । ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାଲକ୍ଷ୍ମୀ । ସିଂହାସନରେ ଅଧିଷ୍ଠିତା ହୋଇ ଦଦରା କିରୀଟ ଲାଗି ହେଉଛନ୍ତି । ପୁରୁଣା ତଥା ଭଙ୍ଗା କିରୀଟକୁ ସେବକମାନେ ବାରବାର ମରାମତି କରି ଠାକୁରାଣୀଙ୍କୁ ପିନ୍ଧାଉଛନ୍ତି । ପ୍ରଶାସନ ଠାକୁରାଣୀଙ୍କ ଗଜଦନ୍ତ ପଲଙ୍କ ନେଇ କାଠ ପଲଙ୍କଟିଏ ଦେଇଥିଲା । ଏବେ ତାହା ପୁରୁଣା ହୋଇ ଭାଙ୍ଗିଗଲାଣି । କିଛି ବର୍ଷ ପୂର୍ବେ ଠାକୁରାଣୀଙ୍କ ଭଣ୍ଡାରରୁ ୮୦୦ ଗ୍ରାମ ସୁନା ନେଇଥିଲା ପ୍ରଶାସନ । ଗଜଦନ୍ତ ପଲଙ୍କ ମଧ୍ୟ ନେଇଯାଇଛି । ଠାକୁରାଣୀଙ୍କ ଭଙ୍ଗା କିରୀଟ ଓ ପଲଙ୍କର ସ୍ଥିତି ବାବଦରେ ବହୁବାର ଜଣାଯାଇଛି । ହେଲେ ମହାଲକ୍ଷ୍ମୀଙ୍କ ନୂତନ କିରୀଟ କିମ୍ବା ପଲଙ୍କ ଦେଉ ନାହିଁ ପ୍ରଶାସନ । ଏହିଭଳି ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବର୍ଷ ବର୍ଷ ହେଲା ଘୋର ଅବହେଳା କରାଯାଉଥିବା ଖୋଦ୍ ମା’ଙ୍କ ସେବକମାନେ ଅଭିଯୋଗ କରିଛନ୍ତି ।
ଶ୍ରୀମନ୍ଦିର ଭିତରେ ଶ୍ରୀପୂର୍ଣ୍ଣ ଦେବସ୍ଥଳୀ ଶ୍ରୀହୀନ ଦେଖାଗଲା । ବଡ଼ଦେଉଳ ବାହାର ଚକ୍ଚକ୍ କରି ମୁଖ୍ୟ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଅବହେଳିତ ସ୍ଥିତିରେ ଛାଡ଼ିଛନ୍ତି । ମା’ଙ୍କ ମନ୍ଦିର ଭିତର ପ୍ରତ୍ନତତ୍ତ୍ୱ ବିଭାଗ ପ୍ଲାଷ୍ଟର ଛଡ଼ାଇଛି । କରୋନା ସମୟରେ ଛଡ଼ାଯାଇଥିଲା । ୫ ବର୍ଷ ବିତିଲା ହେଲେ ନୂଆ କାର୍ଯ୍ୟ କଲେନି । ମନ୍ଦିରରେ ଥିବା ଅନେକ ମହତ୍ତ୍ୱପୂର୍ଣ୍ଣ ଚିତ୍ର ହଜିଗଲାଣି ଯାହାର ଯଥେଷ୍ଟ ଆଧ୍ୟାତ୍ମିକ ମହତ୍ତ୍ୱ ରହିଥିଲା । ଜଗମୋହନ କାନ୍ଥର ରକ୍ଷଣାବେଷଣ ଅଭାବରୁ ଅଧିକାଂଶ ଚିତ୍ର ଖରାପ ହୋଇଗଲାଣି । ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ କୃପା ଲାଭ କରିବାକୁ ମନ୍ଦିରକୁ ଆସି ମହାଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରରେ ପଡ଼ିଥିବା ମାର୍ବଲ ପଥର ବିଭିନ୍ନ ସ୍ଥାନରେ ଭାଙ୍ଗିବାରେ ଖଣ୍ଡିଆ ପଥର ବାଜି ଶ୍ରଦ୍ଧାଳୁମାନେ କ୍ଷତାକ୍ତ ହେଉଛନ୍ତି । ଶ୍ରୀମନ୍ଦିର ପରିଚାଳନାକାରୀ ହୁଏତ ନିଜ ଦାୟିତ୍ୱ ଲୁଚାଇବାକୁ ଏଭଳି ଅଭିଯୋଗକୁ ଟାଳି ଦେବେ । ଠାକୁରାଣୀଙ୍କ ପ୍ରତି ହେଉଥିବା ଅବହେଳା ସାଧାରଣ ଭକ୍ତ ହୁଏତ ଜାଣୁନାହାନ୍ତି । ହେଲେ ଠାକୁରାଣୀଙ୍କ ଦୈନନ୍ଦିନ ସେବା କରୁଥିବା ସେବକମାନେ ମା’ଙ୍କ ପ୍ରତି ହେଉଥିବା ଅଣଦେଖାକୁ କିପରି ସହିଯିବେ!
ସୌଜନ୍ୟ ପ୍ରମେୟ




