Naveen: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ: ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି। ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ବର: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି। ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଏହା ସହ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳର ପାଞ୍ଚ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି, ଦିଲ୍ଲୀର ଘଟଣାବଳୀ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛି। ପରିସ୍ଥିତି ଏବେ ଗମ୍ଭୀର ରହିଛି। ଛାତ୍ରଛାତ୍ରୀଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଛି। ଆହତ ଛାତ୍ରଙ୍କୁ ସାଂସଦମାନେ ହସ୍ପିଟାଲରେ ଭେଟିଛନ୍ତି। ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅନେକ ଦଳରୁ ଦାବି ଆସୁଛି। ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ମୁଁ ଭାବୁଛି।
ଅପରପକ୍ଷରେ ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ବିଜେଡି ସାଂସଦମାନେ ଭେଟି ସମବେଦନା ଜଣାଇଛନ୍ତି। ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ସାଂସଦ ସଂତୃପ୍ତ ମିଶ୍ର, ସସ୍ମିତ ପାତ୍ର, ସୁଲତା ଦେଓ ଓ ଶୁଭାଶିଷ ଖୁଣ୍ଟିଆ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଏହି ଲଢ଼େଇରେ ବିଜେଡି ସର୍ବଦା ସେମାନଙ୍କ ସହ ରହିବ ବୋଲି ଆଶ୍ବାସନା ଦେଇଥିଲେ। ବିଜେଡି ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପଦ୍ଧତିରେ ଏହି ପ୍ରସଙ୍ଗକୁ ଉଠାଇ ଚାଲିବ ବୋଲି ସାଂସଦମାନେ କହିଥିଲେ।
ସୌଜନ୍ୟ ସମ୍ବାଦ




