ଦେଶ ବିଦେଶ

NEET: ଗମ୍ଭୀର ହେଲାଣି ନିଟ୍‌ ପ୍ରଶ୍ନ ଲିକ୍‌ ପ୍ରସଙ୍ଗ: ଚକ୍‌ମା ଦେଲେ ରାହୁଲ ଗାନ୍ଧୀ

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକ୍‌ମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭ ଲୋକକଲ୍ୟାଣ....

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକ୍‌ମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ହଠାତ୍‌ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ପୁଲିସ ଓ ଗୁଇନ୍ଦା ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। କଂଗ୍ରେସ ଦଳର ଏହି ରଣନୀତି କିଛି ସମୟ ପାଇଁ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଥିଲା।

ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ କଂଗ୍ରେସ ନେତାମାନେ ଧାରଣା ଆରମ୍ଭ କରିଦେଇଥିଲେ। ଧାରଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ମଧ୍ୟ ଧାରଣାରେ ବସିଥିଲେ। କଂଗ୍ରେସ ସାଂସଦ ଓ ବରିଷ୍ଠ ନେତାମାନେ ସଡ଼କକୁ ଓହ୍ଲାଇବାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ
ଧାରଣାସ୍ଥଳରେ ପହଞ୍ଚି ରାହୁଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିଲେ। ଶାହଙ୍କ ସହ ଆଲୋଚନା ପରେ ପୁଣି ସେ ରାହୁଲଙ୍କ ସହ କଥା ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ରାହୁଲଙ୍କ ଦାବି ଥିଲା ନିଟ୍‌ ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯାଉ। ରାହୁଲଙ୍କ ଉକ୍ତ ଦାବିକୁ ମଧ୍ୟ ଗ୍ରହଣ କରାଯାଇଥିଲା। କିନ୍ତୁ ରାହୁଲ ତାଙ୍କର ପୂର୍ବ କଥାରୁ ଓହରି ଯାଇ ଆମର ଦୁଇଟି ଦାବି ରହିଛି ବୋଲି କହୁଛନ୍ତି। ପ୍ରଥମ ଦାବି ସଂସଦରେ ନିଟ୍‌ ପ୍ରସଙ୍ଗରେ ଆଲୋଚନା ଏବଂ ଦ୍ବିତୀୟ ଦାବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ଆନ୍ଦୋଳନସ୍ଥଳରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ପହଞ୍ଚି ଉକ୍ତ ସ୍ଥାନ ଆନ୍ଦୋଳନ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ମୁଁ ଯେଉଁଠି ଚାହିବି ସେଠାରେ ବସି ପାରିବି। ଧାରଣାସ୍ଥଳରେ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଧାରଣା ଚାଲିଥିବାବେଳେ ପୁଲିସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସମେତ ଅନ୍ୟ ନେତାଙ୍କୁ ବସ୍‌ ଭିତରକୁ ନେଇଯାଇଥିଲେ। କଂଗ୍ରେସର ଏହି ପ୍ରଦର୍ଶନ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲା। ରାହୁଲଙ୍କ ସମେତ ସବୁ ନେତା ଦଳର ଅଧ୍ୟକ୍ଷ ଖଡ଼ଗେଙ୍କ ଘରୁ ଧାରଣା ସ୍ଥଳ ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ। ଧାରଣାସ୍ଥଳରେ ରାହୁଲ ଓ ଖଡ଼ଗେ ହାତକୁ ଧଳା ଦଉଡ଼ିରେ ବାନ୍ଧିଥିବା ଦେଖାଯାଇଥିଲା।

ଆଜି ଥିଲା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ନେତାମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଛାତ୍ର ଓ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଲାଠିମାଡ଼କୁ ବିରୋଧ କରି ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଖଡ଼ଗେ ତୁରନ୍ତ ଘୋଷଣା କରିଥିଲେ। ଦିପହରରେ ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନ୍ୟ ନେତାମାନେ ଖଡ଼ଗେଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଧରି ନେଇଥିଲେ ଯେ ଖଡ଼ଗେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ କଂଗ୍ରେସ ନେତାମାନେ ତାଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଖଡ଼ଗେଙ୍କ ବାସଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଦୂରତା କେବଳ ୧ କିଲୋମିଟର। ଖଡ଼ଗେଙ୍କ ବାସଭବନରେ ବୈଠକ ସରିବା ପରେ ନେତାମାନେ ଗାଡ଼ିରେ ବସିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଚାଲିବା ଆରମ୍ଭ କରିଦେଇଥିଲେ। ଦିଲ୍ଲୀ ପୁଲିସ ଅଟକାଇବା ଓ ବ୍ୟାରିକେଡ୍‌ ଲଗାଇବା ବେଳକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ନିକଟତର ହୋଇଯାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button