ରାଜ୍ୟ

Hirakud Dam gates opened ହୀରାକୁଦ ବନ୍ଧର ୧୦ ଫାଟକ ଖୋଲିଲା

ଉପରମୁଣ୍ଡରୁ ଜଳପ୍ରବାହ ବଢ଼ିବା ପରେ ହୀରାକୁଦ ବନ୍ଧର ମୋଟ ୧୦ଟି ଫାଟକ ଖୋଲାଯାଇଛି। ମହାନଦୀକୁ ୧.୫୯ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ତଳମୁଣ୍ଡ ଅଞ୍ଚଳରେ ସତର୍କତା ଜାରି ରହିଛି।

ସମ୍ବଲପୁର ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ଆଉ ୬ଟି ଗେଟ୍ ଖୋଲାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍ (ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୩ଟି) ଦେଇ ବନ୍ୟାପାଣି ମହାନଦୀକୁ ନିଷ୍କାସିତ ହେଉଛି।

ଏହି ସମୟରେ ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୪୭ ହଜାର ୫୪୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ ୫୯ ହଜାର ୫୮୧ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସନ୍ଧ୍ୟା ୬ଟା ବେଳେ ତଳମୁଣ୍ଡ ଗେଜ୍‌ ଷ୍ଟେସନ୍‌ ଗୁଡ଼ିକ ମଧ୍ୟରୁ ବେଲଗାଁରେ ୧୩ ହଜାର ୬୦୦ କ୍ୟୁସେକ, ପଥର୍ଲାରେ ୩୮ ହଜାର ୮୦୭ କ୍ୟୁସେକ, ଖଇରମାଳରେ ୧ ଲକ୍ଷ ୭୦ ହଜାର, ବରମୂଳରେ ୧ ଲକ୍ଷ ୩୫ହଜାର ୭୫୦ ଓ ମୁଣ୍ଡଳିରେ ୧ଲକ୍ଷ ୫୨ ହଜାର ୩୦୪ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା।

ପୂର୍ବରୁ ୪ଟି ଗେଟ୍‌ ଖୋଲା ଥିବାବେଳେ ଜଳସ୍ତର ବୃଦ୍ଧି ପରେ ଆଜି ଦିନ ୧୨ଟା ୫୫ ମିନିଟରେ ଆଉ ୪ଟି ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ୩୫ ମିନିଟ ଓ ୫ଟା ୪୦ ମିନିଟରେ ଆଉ ୨ଟି ଗେଟ୍ ଖୋଲାଯାଇଥିଲା। ଏହି ସମୟରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୪୭ ଫୁଟ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୫.୦୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୮.୨୭ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button