Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ସରକାରୀ ବ୍ୟବସ୍ଥାର ଏକ ସାଂଘାତିକ ତ୍ରୁଟି ଗଜପତି ଜିଲ୍ଲାରେ ପଦାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ 'ମୃତ' ବୋଲି ଦର୍ଶାଯିବାରୁ ତାଙ୍କ ଆଧାର ପରିଚୟ ନିଷ୍କ୍ରିୟ ହୋଇଯାଇଛି।

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସରକାରୀ ବ୍ୟବସ୍ଥାର ଏକ ସାଂଘାତିକ ତ୍ରୁଟିଗଜପତି ଜିଲ୍ଲାରେ ପଦାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ରେକର୍ଡରେ ‘ମୃତ’ ବୋଲି ଦର୍ଶାଯିବାରୁ ତାଙ୍କ ଆଧାର ପରିଚୟ ନିଷ୍କ୍ରିୟ ହୋଇଯାଇଛି। ଫଳରେ ସେ ରେସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇପଡ଼ିଛନ୍ତି। ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମାଧାନ ନ ହେବାରୁ ଶେଷରେ ସେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ନ୍ୟାୟ ଭିକ୍ଷା କରିଛନ୍ତି।
ଆର୍.ଉଦୟଗିରି ବ୍ଲକ ରଣାଲଇ ଗ୍ରାମର ଜିଖରିୟ ପାଳଙ୍କ କହିବା ଅନୁସାରେ ତାଙ୍କ ପାଖରେ ବୈଧ ଆଧାର କାର୍ଡ ରହିଥିଲେ ମଧ୍ୟ ଅନଲାଇନ୍ ଯାଞ୍ଚ ସମୟରେ ତାଙ୍କୁ ମୃତ ବ୍ୟକ୍ତି ଭାବେ ଦର୍ଶାଯାଇଛି। ଏହାପରେ ଆଧାର ସେବା ବନ୍ଦ ହୋଇଯିବା ସହ ରେସନ ମିଳିବା ବନ୍ଦ ହୋଇଛି। ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ମଧ୍ୟ ସେ ପାଉନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସମସ୍ୟା ସମାଧାନ ପାଇଁ ବହୁବାର ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ। ଫଳରେ ସୋମବାର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀରେ ପହଞ୍ଚି ସରକାରୀ ରେକର୍ଡରେ ହୋଇଥିବା ତ୍ରୁଟି ସଂଶୋଧନ, ଆଧାରକୁ ପୁନଃ ସକ୍ରିୟ କରିବା ଏବଂ ବନ୍ଦ ହୋଇଥିବା ରେସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ତୁରନ୍ତ ପୁନଃ ଚାଲୁ କରିବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ଅଭିଯୋଗ ଗ୍ରହଣ କରାଯାଇଛି। ସମ୍ପୃକ୍ତ ବିଭାଗ ମାଧ୍ୟମରେ ତଦନ୍ତ କରାଯିବ।
ସୌଜନ୍ୟ ସମ୍ବାଦ




