ରୁଷ୍ ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣା ; ରୁଷ୍ କୂଟନୀତିଜ୍ଞଙ୍କୁ ସମନ

ନୂଆଦିଲ୍ଲୀ: ୟୁକ୍ରେନ ଉପକୂଳ ନିକଟରେ ଏକ ପଣ୍ୟବାହୀ ଜାହାଜ ‘ଏମ୍.ଭି ଗୋଲ୍ଡେନ ଲିଓ’ ଉପରେ ରୁଷ୍ ତରଫରୁ ହୋଇଥିବା ଆକ୍ରମଣରେ ଚାରି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଭାରତରେ ଅବସ୍ଥାପିତ ରୁଷ୍ର କୂଟନୀତିଜ୍ଞଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସମନ କରାଯାଇଥିଲା। ଭାରତ ତରଫରୁ ଏହି ଆକ୍ରମଣ ବିରୋଧରେ ଦୃଢ଼ ପ୍ରତିବାଦ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରୁଷ୍ କୂଟନୀତିଜ୍ଞଙ୍କୁ ଜଣାଇ ଦିଆଯାଇଛି ଯେ, ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଫଳରେ ଭାରତୀୟଙ୍କ ଜୀବନହାନି ଆଦୌ ଗ୍ରହଣୀୟ ନୁହେଁ।
ୟୁକ୍ରେନୀୟ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯେ, ରୁଷ୍ ତରଫରୁ ୟୁକ୍ରେନର ସାମୁଦ୍ରିକ କରିଡର ଦେଇ ଯାଉଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ କରା ଯାଇଥିଲା। ଜାହାଜର କର୍ମଚାରୀଙ୍କ ମଧ୍ୟରେ ସିରିଆ ଏବଂ ଭାରତର ନାଗରିକ ଥିଲେ। ୟୁକ୍ରେନର ବାୟୁସେନା ଅନୁଯାୟୀ, ଗିନି-ବିସାଉ ପତାକାଯୁକ୍ତ ମାଲବାହୀ ଜାହାଜ ‘ଏମ୍.ଭି ଗୋଲ୍ଡେନ ଲିଓ’ ଉପରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହି ଜାହାଜରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଭାରତୀୟଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଯଥାସମ୍ଭବ ପ୍ରୟାସ କରୁଛି। ଆମେ ମୃତ ଭାରତୀୟ ନାଗରିକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ ଏବଂ ଆହତ ଭାରତୀୟ ନାଗରିକଙ୍କ ଆରୋଗ୍ୟ କାମନା କରୁଛୁ।
ସୌଜନ୍ୟ ସମାଜ




