ରାଜ୍ୟ

Odia Poetry ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା ଆଲୋଚନାଚକ୍ର ଆୟୋଜିତ

ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆୟୋଜନରେ ଭୁବନେଶ୍ୱରରେ ‘ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଦେଶପ୍ରେମ, ଭାଷାପ୍ରୀତି ଓ ଓଡ଼ିଆ ସାହିତ୍ୟର ଭୂମିକା ଉପରେ ଆଲୋଚନା କରାଯାଇଛି।

ଭୁବନେଶ୍ୱର : ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି  (ବୁଧବାର) ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ “ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା” ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମିର ସଚିବ ବରୁଣ ଗୁଲାଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଜଣାଶୁଣା ଲେଖିକା ଶକୁନ୍ତଳା ବଳିଆରସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ ଚନ୍ଦ୍ର ଶେଖର ହୋତା, ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜର ସାମ୍ପ୍ରତିକ ସ୍ଥିତି ସାହିତ୍ୟ ମାଧ୍ୟମରେ ପ୍ରକାଶିତ ହୋଇଥାଏ। ଦେଶରେ ସ୍ୱାଧୀନତା ଆନ୍ଦୋଳନ ସମୟ ଠାରୁ ଆରମ୍ଭ କରି ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଅନେକ ଲେଖକ ଓ ଲେଖିକାମାନେ ନିଜ ସାହିତ୍ୟ ସର୍ଜନାରେ ଜାତୀୟତାବାଦୀ ଚେତନାକୁ ପ୍ରସ୍ଫୁଟିତ କରିଛନ୍ତି। ବିଶେଷ କରି ଓଡ଼ିଆ ସାହିତ୍ୟ ଜଗତରେ ବହୁ ସାହିତ୍ୟିକମାନେ ନିଜର କବିତା ମାଧ୍ୟମରେ ନିଜର ଦେଶପ୍ରୀତିକୁ ପରିପ୍ରକାଶ କରିଛନ୍ତି। ଅନେକ କବି ନିଜର କବିତାରେ ମାତୃଭୂମି ପ୍ରୀତି, ଭାଷାପ୍ରୀତି ଓ ଜାତୀୟ ଚେତନାର ଯଥାର୍ଥ ପରିଚୟ ପ୍ରଦାନ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତର କାଳଜୟୀ ରଚନାରେ ପ୍ରତିଫଳିତ ହୋଇଥିବା ଦେଶ ପ୍ରେମ ଓ ଜାତୀୟ ଚେତନା ଆଗାମୀ ଦିନରେ ଯୁବ ସାହିତ୍ୟିକମାନଙ୍କୁ ନିଶ୍ଚିତ ଭାବେ ପ୍ରେରିତ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

“ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା” ଶୀର୍ଷକକୁ ନେଇ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ ସ୍ୱତନ୍ତ୍ର ଅଧିବେଶନରେ ବାସୁଦେବ ଦାସ, ଅରୁଣ କୁମାର ସାହୁ, ବିଶ୍ଵରଂଜନ ଦାସ, ନାରାୟଣ ପଣ୍ଡା, ପ୍ରଫେସର ଉଦୟନାଥ ସାହୁ, ଡକ୍ଟର ରମେଶ ଚନ୍ଦ୍ର ବେହେରା, ରଞ୍ଜିତ ପରିଡ଼ାଙ୍କ ସମେତ ଅନେକ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button