CJP: ସିଜେପି ଆନ୍ଦୋଳନରେ ବିଦେଶୀ ପାଣ୍ଠି ଅଭିଯୋଗ, ଏନ୍ଆଇଏ ତଦନ୍ତ ଆବେଦନର ଶୁଣାଣି ଆଜି
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଜୁଲାଇ ୨୦ରେ ଆୟୋଜିତ ‘ସଂସଦ ଚଲୋ’ ଶୋଭାଯାତ୍ରାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଦେବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ ଦାଖଲ ହୋଇଛି।

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ଜୁଲାଇ ୨୦ରେ ଆୟୋଜିତ ‘ସଂସଦ ଚଲୋ’ ଶୋଭାଯାତ୍ରାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଦେବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ ଦାଖଲ ହୋଇଛି। ଏହି ଆନ୍ଦୋଳନ ପଛରେ ବିଦେଶୀ ପାଣ୍ଠିପ୍ରାପ୍ତ ସଂଗଠନ ଓ କେତେକ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଆବେଦନରେ ଅଭିଯୋଗ କରାଯାଇଛି। ହାଇକୋର୍ଟ ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ଏବଂ ଆସନ୍ତାକାଲି ଏହାର ଶୁଣାଣି କରିବେ।
ଅଖିଳ ଭାରତ ହିନ୍ଦୁ ମହାସଭାର ପୂର୍ବତନ ଉପସଭାପତି ସତୀଶ କୁମାର ଅଗ୍ରୱାଲଙ୍କ ପକ୍ଷରୁ ଓକିଲ ବରୁଣ କୁମାର ସିହ୍ନା ଏହି ଆବେଦନ ଦାଖଲ କରିଛନ୍ତି। ସେ ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଓ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ନିକଟରେ ମାମଲା ଉଲ୍ଲେଖ କରି ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଏହି ତଥାକଥିତ ଛାତ୍ର ଆନ୍ଦୋଳନ ଦ୍ବାରା ରାସ୍ତା ବନ୍ଦ କରି ସମଗ୍ର ଦିଲ୍ଲୀକୁ ପଣବନ୍ଦୀ ଭଳି ସ୍ଥିତିରେ ରଖାଯାଇଛି ବୋଲି ସିହ୍ନା କହିଥିଲେ। ଏହାପରେ ଖଣ୍ଡପୀଠ ଶୁକ୍ରବାର ଆବେଦନର ଶୁଣାଣି ପାଇଁ ସମ୍ମତି ଦେଇଛନ୍ତି।
ଆବେଦନରେ କୁହାଯାଇଛି, ଜୁଲାଇ ୨୦ର ଆନ୍ଦୋଳନ କେବଳ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ବିକ୍ଷୋଭ ନ ଥିଲା। ଏହା ପଛରେ ଏକ ବୃହତ୍ ଯୋଜନାବଦ୍ଧ ଷଡ଼୍ଯନ୍ତ୍ର ଥିବା ଏବଂ ବିଦେଶୀ ପାଣ୍ଠି ପାଉଥିବା ସଂଗଠନ ଓ ରାଜନୈତିକ ବ୍ୟକ୍ତିମାନେ ଏଥିରେ ଭୂମିକା ନେଇଥିବା ଆବେଦନକାରୀ ଦାବି କରିଛନ୍ତି। ଆନ୍ଦୋଳନକାରୀମାନେ ସଂସଦ ଭବନର ସୁରକ୍ଷା ବଳୟ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପଥରମାଡ଼, ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଜରୁରିକାଳୀନ ସେବାରେ ବାଧା ଏବଂ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ସୌଜନ୍ୟ ସମ୍ବାଦ




