Bitchat: ‘ବିଟ୍ଚାଟ୍’ ଆପ୍ ହଟାଇବାକୁ ନିର୍ଦ୍ଦେଶ: ବିନା ନେଟ୍ୱର୍କ, ଇଣ୍ଟରନେଟ୍ରେ କାମ କରୁଛି
ଟ୍ବିଟର୍ର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବିକାଶ କରିଥିବା ‘ବିଟ୍ଚାଟ୍’ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏହି ଆପ୍କୁ ତୁରନ୍ତ ହଟାଇବାକୁ ଗିଟ୍ହବ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆଦିଲ୍ଲୀ: ଟ୍ବିଟର୍ର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବିକାଶ କରିଥିବା ‘ବିଟ୍ଚାଟ୍’ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏହି ଆପ୍କୁ ତୁରନ୍ତ ହଟାଇବାକୁ ଗିଟ୍ହବ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଚାଲିଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଆନ୍ଦୋଳନରେ ଏହି ଆପ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ବିକ୍ଷୋଭକାରୀମାନେ ପରସ୍ପର ସହ ଯୋଗାଯୋଗରେ ରହିବାରେ ତାହା ସାହାଯ୍ୟ କରିଥିଲା। ବିକ୍ଷୋଭ କିମ୍ବା ଗମ୍ଭୀର ଆଇନ ଶୃଙ୍ଖଳା ସ୍ଥିତିରେ ଏହି ଆପ୍ର ଅପବ୍ୟବହାର ହୋଇପାରେ ବୋଲି ସରକାର ଭାବୁଛନ୍ତି। ସେଥିପାଇଁ ତାହାକୁ ହଟାଇବା ପାଇଁ ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇ୪ସି) ନିର୍ଦ୍ଦେଶ ଦେଇଛି।
ଆଇ୪ସିର ନିର୍ଦ୍ଦେଶର ଏକ ନକଲକୁ ଡୋର୍ସି ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଆଇଟି ନିୟମର ଧାରା ୭୯(୩)(ବି) ଅଧୀନରେ ବିଟ୍ଚାଟ୍କୁ ତିନି ଘଣ୍ଟା ମଧ୍ୟରେ ହଟାଇବାକୁ ଗିଟ୍ହବ୍କୁ କୁହାଯାଇଛି। ବିଟ୍ଚାଟ୍ ଭଳି ପ୍ରଯୁକ୍ତିକୁ ଭାରତ ସରକାର ପସନ୍ଦ କରୁନାହାନ୍ତି। ତାହାକୁ ହଟାଇବାକୁ ଚାହୁଥିବା ଡୋର୍ସି କହିଛନ୍ତି। ହିଂସାତ୍ମକ ବିକ୍ଷୋଭ, ମିଥ୍ୟା ପ୍ରଚାର, ଅପରାଧିକ ଷଡ଼୍ଯନ୍ତ୍ର ଭଳି କାମରେ ଏଭଳି ଆପ୍ର ଅପବ୍ୟବହାର ଆଶଙ୍କା ରହିଛି ଯାହା ଭାରତର ସାର୍ବଭୌମ, ସଂହତି ଓ ସୁରକ୍ଷା ପ୍ରତି ବିପଦ ବୋଲି ସରକାର ଭାବୁଛନ୍ତି।
ବିଟ୍ଚାଟ୍ର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହା ଚାଲିବା ଲାଗି ମୋବାଇଲ୍ ନେଟ୍ୱର୍କ କିମ୍ବା ଇଣ୍ଟରନେଟ୍ ଦରକାର ନାହିଁ। ବ୍ଲୁଟୁଥ୍କୁ ବ୍ୟବହାର କରି ତାହା କାମ କରିଥାଏ। ଫଳରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରୀତ ହୋଇଥିବା ଲୋକମାନେ ବିନା ଇଣ୍ଟରନେଟ୍ରେ ତାହାକୁ ବ୍ୟବହାର କରି ମେଜେସ୍ର ଆଦାନପ୍ରଦାନ କରିପାରୁଛନ୍ତି। ସିଜେପି ବିକ୍ଷୋଭକାରୀମାନେ ଦିଲ୍ଲୀ ଆନ୍ଦୋଳନରେ ସେହି ଆପ୍ ବ୍ୟାପକ ଭାବେ ବ୍ୟବହାର କରିଥିବା ଅନୁମାନ କରାଯାଉଛି। ‘ଆଇ୪ସି’ର କହିବାନୁସାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସରକାର ବିଭିନ୍ନ ସମୟରେ ଇଣ୍ଟରନେଟ୍ ଯୋଗାଯୋଗ ଉପରେ କଟକଣା ଲଗାଇଥାନ୍ତି। ବେଆଇନ ଭାବେ ଏକତ୍ରୀତ ହେବା କିମ୍ବା ବିକ୍ଷୋଭକୁ ରୋକିବା ଲାଗି ସେଭଳି କଟକଣା ଲଗାଯାଏ। କିନ୍ତୁ ବିଟ୍ଚାଟ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ସେହି କଟକଣା ପ୍ରଭାବିତ କରିପାରୁନାହିଁ। ସେମାନେ ବିନା ଇଣ୍ଟରନେଟ୍ରେ ଯୋଗାଯୋଗରେ ରହୁଛନ୍ତି। ଫଳରେ ଯୋଗାଯୋଗର ପ୍ରକୃତ ଉତ୍ସକୁ ଖୋଜି ବାହାର କରିବା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ୁଛି।
ସୌଜନ୍ୟ ସମ୍ବାଦ




