ଦେଶ ବିଦେଶ

Bahuda Yatra: ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା଼ଯାତ୍ରା ସମ୍ପନ୍ନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ...

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସକାଳେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇଥିଲା।

ଦିନ ୪ ଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ ଓ କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏହାପରେ ବିଶିଷ୍ଟ ସମାଜସେବୀ, ଓରିଶା ଷ୍ଟେଭେଡୋର୍ସ ଲିମିଟେଡର ଉପସଭାପତି ତଥା ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ସନ୍ଧ୍ୟା ପାଞ୍ଚଟା ବେଳେ ରଥ ଟଣାର ଶୁଭାରମ୍ଭ କରାଯାଇଥିଲା। ଉପସ୍ଥିତ ସହସ୍ରାଧିକ ଭକ୍ତଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ବିଶାଖାପାଟଣାର ରାଜ ରାସ୍ତାରେ ରାଜକୀୟଠାଣିରେ ମହାପ୍ରଭୁଙ୍କର ରଥ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା।

ରଥଟିକୁ ଶାନ୍ତି ଆଶ୍ରମ, ଭୁଡ଼ା ପାର୍କ, ଏୟୁ ଗେଟ୍, ଭୁଡ଼ା ଚିଲେଡ୍ରେନସ ଆରେନା ଏବଂ ଆକାଶବାଣୀ ବାଟ ଦେଇ ଟଣା ଯାଇ ଦଶପଲ୍ଲା ପାହଡିରେ ଥିବା ମୁଖ୍ୟ ମନ୍ଦିରକୁ ରାତି ୮ ଟା ସୁଦ୍ଧା ଅଣା ଯାଇଥିଲା। ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରାଯାଇଥିଲା। ଏହା ପରେ ଦିଅଁ ମାନଙ୍କୁ ରୋଷଣୀ କରାଯାଇ ରଥ ଉପରୁ ମୁଖ୍ୟ ମନ୍ଦିରକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button