ଦେଶ ବିଦେଶ

Cabinet: ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆସିବ କଠୋର ଆଇନ: ୧୦ ବର୍ଷ ଜେଲ୍‌, ୧୦ କୋଟି ଜରିମାନା

ପ୍ରସ୍ତାବିତ ଆଇନରେ ପ୍ରଶ୍ନପତ୍ର ପ୍ରଘଟକାରୀଙ୍କ ବିରୋଧରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି।

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ସରକାର ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏ ନେଇ ପ୍ରସ୍ତୁତ ଚିଠା ବିଲ୍‌କୁ ମଞ୍ଜୁରି ଦିଆଯାଇଛି। ପ୍ରସ୍ତାବିତ ଆଇନରେ ପ୍ରଶ୍ନପତ୍ର ପ୍ରଘଟକାରୀଙ୍କ ବିରୋଧରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସର୍ବନିମ୍ନ ଜେଲଦଣ୍ଡକୁ ବର୍ତ୍ତମାନର ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯିବା ନେଇ ପ୍ରସ୍ତାବ ରହିଛି। ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ-୨୦୨୪ରେ ସର୍ବନିମ୍ନ ୩ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି।

ସଂସଦରେ ଖୁବ୍‌ଶୀଘ୍ର ଏହି ବିଲ୍‌ ଆଗତ ହେବ। ଉକ୍ତ ବିଲ୍‌ ଆଗତ କରିବାରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ସପ୍ତାହରେ ଏହି ବିଲ୍‌ ସଂସଦରେ ଆଗତ ହେବା ସମ୍ଭାବନା ରହିଛି। ଗୁରୁବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ୟାବିନେଟ୍‌ ଶୁକ୍ରବାର ବଡ଼ ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲେ। ପ୍ରସ୍ତାବିତ ଆଇନରେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ସମେତ ଅନ୍ୟାନ୍ୟ ବ୍ୟବସ୍ଥାରେ ଦ୍ରୁତ ବିଚାର ବ୍ୟବସ୍ଥା ରହିବ ବୋଲି ଅନୁମାନ କରାଯାଉଛି। ନୂଆ ଆଇନ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ-୨୦୨୪ ଉପରେ ଆଧାରିତ। ନିଟ୍‌-ୟୁଜି ଏବଂ ୟୁଜିସି-ନେଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲା ପରେ ୨୦୨୪ ଜୁନରେ କେନ୍ଦ୍ର ସରକାର ଏହି ନୂଆ ଆଇନ ପ୍ରଣୟନ କରିଥିଲେ।

ସେହିପରି ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆଜି ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଟ୍‌-ୟୁଜି ପରୀକ୍ଷାକୁ ନେଇ ବାରମ୍ବାର ଘଟୁଥିବା ତ୍ରୁଟି ଓ ପ୍ରଶ୍ନପତ୍ର ଲିକ୍‌ ଘଟଣାର ଅବସାନ ଘଟାଇବାକୁ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରୀକ୍ଷାକୁ କମ୍ପ୍ୟୁଟର-ଆଧାରିତ ପ୍ରଣାଳୀକୁ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button