ଦେଶ ବିଦେଶ

Bahudajatra: ନଭିମୁମ୍ବାଇର ଖାରଘରଠାରେ ବାହୁଡ଼ା ଯାତ୍ରା

ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚାରି ଦିଅଁମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ନଭି ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘ  (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକା ଜଗନ୍ନାଥମୟ ହୋଇଉଠିଥିବା ଦେଖାଯାଇଥିଲା। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସଙ୍ଗକୁ ମନ୍ତ୍ରର ସୁମଧୁର ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିବା ଲକ୍ଷ୍ୟ କରାଯାଇଥିଲା। ଭୋରରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦିଅଁମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ଦିପହରରେ ଚାରି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ରାଜକୀୟ ଠାଣିରେ କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର, କନିଷ୍ଠ ଭଗ୍ନୀ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୂଢ଼ ହେବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ସଭାପତି ଏବଂ ଟ୍ରଷ୍ଟି  ତଥା ମୁଖ୍ୟ ସେବକ ଡକ୍ଟର ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଯେଉଁ ଅସୀମ ଉତ୍ସାହ, ଅଜସ୍ର ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ସହିତ ରଥଟିକୁ ଟାଣି ଟାଣି ନେଉଥିଲେ, ତାହାର ଦୃଶ୍ୟ ଅଭୂତପୂର୍ବ ଥିଲା।

ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା

ସନ୍ଧ୍ୟା ସମୟରେ ରଥ ମୁଖ୍ୟ ମନ୍ଦିର ସାମ୍ନାରେ ପହଞ୍ଚିଥିଲା। ଏଠାରେ ଏବେ ଠାକୁରମାନେ ରଥ ଉପରେ ରହି ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି। ବାହୁଡା଼ଯାତ୍ରା ଉତ୍ସବର ବିଶେଷ ଆକର୍ଷଣ ଭାବରେ ‘ମୋୱା’ ତରଫରୁ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରସିଦ୍ଧ ଗାୟକ ଶ୍ରୀଚରଣ ମହାନ୍ତିଙ୍କର ସୁମଧୁର  ଭଜନ ପରିବେଷଣ ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଥିଲା। ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

ସମଗ୍ର ବାହୁଡା଼ଯାତ୍ରାକୁ ସୁଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘର ଟ୍ରଷ୍ଟିବୃନ୍ଦ ଯଥା :- ସଭାପତି ଓ ମୁଖ୍ୟ ସେବକ ଡକ୍ଟର ଭଗବାନ ପଣ୍ଡା, ସାଧାରଣ ସମ୍ପାଦକ ବଳରାମ ପାତ୍ର, କୋଷାଧକ୍ଷ ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର କେତନ ଗୋଖଲେ, ବିଷ୍ଣୁ ଚରଣ ଖଟୁଆ, କ୍ୟାପ୍ଟେନ ଏସ. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ଚାଟାର୍ଡ଼ ଏକାଉଣ୍ଟାଣ୍ଟ ପବିତ୍ର ମୋହନ ମହାପାତ୍ର ତଥା ଡକ୍ଟର ରବିନାରାୟଣ ମିଶ୍ର ଓ ଡକ୍ଟର ସୁଧାରଞ୍ଜନ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ, ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଏବଂ ସ୍ବେଚ୍ଛାସେବକ ମାନେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button