Police Action: ଚାଲାଣ ହେଉଥିଲା କାର୍ ଭର୍ତ୍ତି ଗଞ୍ଜେଇ, ମାଡ଼ି ବିସିଲା ପୁଲିସ
କନ୍ଧମାଳରୁ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ବେଧଡ଼କ ଗଞ୍ଜେଇ ଚାଲାଣ। ଯାହାକୁ ନେଇ ଗତ କିଛିଦିନର ବ୍ୟବଧାନ ମଧ୍ୟରେ ଅବକାରୀ ବିଭାଗ ଠାରୁ ଆରମ୍ଭ କରି ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି।

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): କନ୍ଧମାଳରୁ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ବେଧଡ଼କ ଗଞ୍ଜେଇ ଚାଲାଣ। ଯାହାକୁ ନେଇ ଗତ କିଛିଦିନର ବ୍ୟବଧାନ ମଧ୍ୟରେ ଅବକାରୀ ବିଭାଗ ଠାରୁ ଆରମ୍ଭ କରି ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି। ଗତ ୨୧ ତାରିଖ ଦିନ ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୁଗୁଡ଼ା ଠାରୁ ୪୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।
ଠିକ୍ ଏହାର ଦୁଇ ଦିନର ବ୍ୟବଧାନ ପରେ ଅର୍ଥାତ୍ ଗତ ୨୪ ତାରିଖ ଦିନ ବାଣିଗୋଛା ପୁଲିସ ବାଣିଗୋଛାର ହନୁମାନ ମନ୍ଦିର ଠାରୁ ୩୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରିଥିଲା। ଯେଉଁଥିରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଲଗାତର ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଅବକାରୀ ଓ ପୁଲିସ ବିଭାଗ ଧରିଥିବା ବେଳେ ଆଜି ଦଶପଲ୍ଲା ପୁଲିସକୁ ମିଳିଛି ଆଉଏକ ବଡ଼ ସଫଳତା। ଏକ କାର୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ରାଜପଥକୁ ଘେରାବନ୍ଦୀ କରି ରଖିବା ସହ ମାଫିଆକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।
ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଥାନା ଅଧିକାରୀ ଶ୍ରୀ ପରିଡ଼ା ଦୁଇଟି ଟିମ୍ ଗଠନ କରି ଦଶପଲ୍ଲା ଦେଇ ଅତିକ୍ରମ କରିଥିବା ଦୁଇଟି ରାଜପଥ ଉପରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଗୋଟିଏ ଟିମ୍ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ କରୁଥିବା ବେଳେ ଆଉଏକ ଟିମ୍ ଦଶପଲ୍ଲା–ଗଣିଆ ରାଜ୍ୟ ରାଜପଥ ଉପରେ ପାଟ୍ରୋଲିଂ କରୁଥିଲା।
ଏହି ସମୟରେ ମାଫିଆ ଜଣଙ୍କ ଚତୁରତାର ସହ ୫୭ ନମ୍ବର ଜାତୀୟ ରାଜପଥ ଉପରେ ନଯାଇ ବାଟଭାଙ୍ଗି ଗଣିଆ ରାସ୍ତାଦେଇ ଖସି ଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ନିଜେ ଥାନା ଅଧିକାରୀ ଶ୍ରୀ ପରିଡ଼ା ସୂଚନାଥିବା (ଓଡ଼ି ୦୯ ଜେ ୨୪୨୪)କାରକୁ ପିଛାକରି ଘୋଳାହାଣ୍ତି ସ୍ଥିତ ହରିଜନ ସାହି ଛକଠାରେ ମାଡ଼ି ବସିଥିଲେ। ଯାହାକି କାରରେ ଗଞ୍ଜେଇ ଥିବା ସ୍ପଷ୍ଟ ହେବାପରେ ନିଜ ହେପାଜତକୁ ଆଣି ଥାନାକୁ ଆଣିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କାରରୁ ଗଞ୍ଜେଇକୁ ଖାଲି କରାଯାଇ ଓଜନ କରାଯାଇଥିଲା। ଯାହାକି ୯୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏପଟେ ଏସବୁ ଗଞ୍ଜେଇ ଚାଲାଣ କରୁଥିବା କନ୍ଧମାଳଜିଲ୍ଲା ଖଜୁରୀପଡ଼ା ଥାନା ଅଧୀନସ୍ଥ ଗୁଡ଼ାଇ ଗ୍ରାମର ମୁରଲୀ ଦିଗାଲଙ୍କ ପୁଅ ସିଦ୍ଧାର୍ଥ ଦିଗାଲ(୨୬)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପରିଡ଼ା କହିଛନ୍ତି।
ସୌଜନ୍ୟ ସମ୍ବାଦ




