ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଓ ଗଡଚୋରେଲି ଜିଲ୍ଲା ସୀମାନ୍ତରେ ମାଓବାଦୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ସୀମାନ୍ତରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି। ପୋଷ୍ଟର ଓ ବ୍ୟାନରରେ ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି।
ଜଳ, ଜଂଗଲ ଓ ଜମି ପାଇଁ ମାଓ ସଂଗଠନ ଲଢେଇ କରି ଆସୁଛି ଓ କରୁଥିବା ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ନାଲି ବ୍ୟାନର ମରାଯାଇଥିବାରୁ ପୁଲିସ ନକ୍ସଲ ମାରିଥିବା ସଂଦେହ କରୁଛି। ତେବେ ଛତିଶଗଡରରୁ ନକ୍ସଲ ହଟିଥିଲେ ମଧ୍ୟ ଏବେ ବି ମହାରାଷ୍ଟ୍ରର ଗଡଚୋରେଲିରେ ନକ୍ସଲ ସକ୍ରିୟ ରହିଛନ୍ତି। ପୁଲିସ ପୋଷ୍ଟର ଓ ବ୍ୟାନର ଜବତ କରିବା ସହ କୁମ୍ବିଂକୁ ଜୋରଦାର କରିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶେଷ ଧାର୍ଯ୍ୟ ସମୟ ଚାଲିଯାଇଥିଲେ ମଧ୍ୟ ପୁଲିସ ଜଂଗଲରେ ରହିଯାଇଥିବା ନକ୍ସଲଙ୍କୁ ପୁଣି ଆତ୍ମସମର୍ପମ କରିବାରୁ ସୁଯୋଗ ପ୍ରଦାନ କରିଛି। କିନ୍ତୁ କିଛି ପଥଭ୍ରଷ୍ଟ ନକ୍ସଲ ଏବେ ବି ନିଜକୁ ମୁଖ୍ୟସ୍ରୋତରେ ସାମିଲ ନକରି ଲଢେଇ ଜାରି ରଖିବେ ବୋଲି ଧମକ ଦେଇଛନ୍ତି। ନକ୍ସଲଙ୍କ ଏହି ବ୍ୟାନର ମରା ପରେ ଛତିଶଗଡ ଓ ଓଡିଶାରେ ମଧ୍ୟ ପୁଲିସ ସତର୍କ ହୋଇଯାଇଛି। ଯେପରି ନକ୍ସଲ ଏପଟେ ମଧ୍ୟ ନିଜର ପତିଆରା ଆରମ୍ଭ ନକରନ୍ତୁ ସେଥିପାଇଁ ଦିନରାତି ଏକ କରି ପୁଣି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି। ମାଲକାନଗିରି ସୀମାକୁ ମଧ୍ୟ ସିଲ କରାଯାଇ ବିଏସଏଫ,ଡିଭିଏଫ ଓ ଏସଓଜି ଯବାନଙ୍କ ତରଫରୁ କୁମ୍ବିଂ କରାଯାଉଛି।