ବାଲୁକା କଳାରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ବାର୍ତ୍ତା

ପୁରୀ, ୨୭/୦୭: ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅବସରରେ ପାଳିତ ହେବ ରସଗୋଲା ଦିବସ । ଏହା ପୂର୍ବରୁ ରବିବାର ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୭ ଫୁଟ ଉଚ୍ଚତାର ଏକ ବାଲୁକା କଳାକୃତି ନିର୍ମାଣ କରି ରସଗୋଲା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କୁ ରସଗୋଲା ଅର୍ପଣ କରନ୍ତି ।
ବାଲୁକା କଳାରେ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରୁଥିବା ଦୃଶ୍ୟକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କଳାକୃତି ନିର୍ମାଣ କରାଯାଇଛି । ଏହି ଅବସରରେ ସୁଦର୍ଶନ କହିଛନ୍ତି, ରସଗୋଲା ଦିବସ ହେଉଛି ଓଡ଼ିଶାର ଗୌରବମୟ ଜଗନ୍ନାଥ ସଂସ୍କୃତି, ପ୍ରେମ, ଏକତା ଓ କ୍ଷମା ବାର୍ତ୍ତାର ଉତ୍ସବ । ମାନଭଞ୍ଜନ ପରମ୍ପରା ଆମକୁ ସହାନୁଭୂତି ଓ ସମନ୍ୱୟର ମହତ୍ତ୍ୱ ଶିଖାଇଥାଏ ।
ସୌଜନ୍ୟ ପ୍ରମେୟ




