ରାଜ୍ୟ

ରଥରେ ଜମିଲା ଖଜା ବେପାର, କାଳିଆ ଭୋଗ କହି ୧୦ ଦିନରେ ବିକ୍ରି କରିଦେଲେ ୧୦୦ କୋଟିର ଖଜା

ପୁରୀ,୨୭/୦୭: ପୁରୀ ଖଜା ବିଶ୍ୱ ପ୍ରସିଦ୍ଧ । ପୁରୀକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ଘରକୁ ଖଜା କିଣି ନିଅନ୍ତି । ଏବର୍ଷ ରଥଯାତ୍ରାରେ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର କିମ୍ବା ଆଡ଼ପ ମଣ୍ଡପ ଦର୍ଶନ ବେଳେ ଉକ୍ତ ସ୍ଥାନମାନଙ୍କରୁ ଖଜା (ଶୁଖିଲି ମହାପ୍ରସାଦ) କିଣିଥିଲେ । ବହୁସଂଖ୍ୟକ ବଡ଼ଦାଣ୍ଡଠାରୁ ପୁରୀର ପ୍ରତି ସାହି, ଗଳି ଓ ଭୁବନେଶ୍ୱର ଯିବା ରାସ୍ତା ପାର୍ଶ୍ବରେ ଖୋଲିଥିବା ଦୋକାନରୁ ଖଜା କିଣିଥିଲେ । ପୂର୍ବ ବର୍ଷ ତୁଳନାରେ ପୁରୀ ସହରରେ ୩ ଗୁଣା ଖଜା ଦୋକାନ ପଡ଼ିଥିଲା । ଖଜା ତିଆରି ବିକ୍ରି କରୁଥିବା ଗୋଦାମରୁ ଲୋକେ ରଥଯାତ୍ରା ପୂର୍ବ ଦିନରୁ ବହୁ ଖଜା କିଣି ମହଜୁଦ୍ ରଖିଥିଲେ । ୧୦ ଦିନ ଭିତରେ ପ୍ରାୟ ୧୦୦ କୋଟି ଟଙ୍କାର ଖଜା ବିକ୍ରି ହୋଇଛି । ଏହାରି ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବଡ଼ଦାଣ୍ଡ ପାର୍ଶ୍ବରେ  କାଳିଆ ଭୋଗ କହି ଖଜା ବିକ୍ରି କରୁଥିଲେ । ବାହାରୁ ଆସିଥିବା ଶ୍ରଦ୍ଧାଳୁ ମଧ୍ୟ ବିଶ୍ୱାସରେ କିଣି ନେଉଥିଲେ ଯାହାକୁ ସହରବାସୀ ନାପସନ୍ଦ କରିଛନ୍ତି ।

ଚଳିତ ବର୍ଷ ନବଦିନାତ୍ମକ ରଥଯାତ୍ରାରେ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଭିଡ଼ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଖଜା କିଣିବାକୁ ଆଗ୍ରହ ଦେଖି ପୁରୀ ସହରର ବିଭିନ୍ନ ସ୍ଥାନରେ ଲୋକେ ଖଜା କାରଖାନା କରିଥିଲେ । ରାସ୍ତା ପାଶ୍ୱର୍ ଦୋକାନୀମାନେ ରଥଯାତ୍ରା ବେଳେ ନିର୍ଦ୍ଧାରିତ ଦରଠାରୁ ଦୁଇଗୁଣା ଦରରେ ଖଜା ବିକ୍ରି କରିଥିଲେ । ସାଧାରଣତଃ ଅତି ଟାଣ ଖଜା କେଜି ପ୍ରତି ୧୦୦ରୁ ୧୫୦ ଟଙ୍କାରେ ବିକ୍ରି କରାଯିବା କଥା । ହେଲେ ରଥଯାତ୍ରାରେ ଏହି ଖଜାକୁ କେଜି ପ୍ରତି ୨୦୦ରୁ ୩୦୦ ଟଙ୍କାରେ ଶ୍ରଦ୍ଧାଳୁଙ୍କୁ ବିକି ଦୋକାନୀମାନେ ବେଶ ମୁନାଫା କମାଇଛନ୍ତି । ପୁରୀ ସହରରେ ଅନେକ ନାଁ କରା ଖଜା ଦୋକାନ ଅଛି । ଯେଉଁଠି ପାଟିକୁ ମୁସମୁସ୍ ଲାଗୁଥିବା ଶୁଦ୍ଧ ଗୁଆଘିଅରେ ଖଜା ପ୍ରସ୍ତୁତ ହୋଇଥାଏ । ଏଠାରେ ଏହି ଖଜା କେଜି ପ୍ରାୟ ୪୦୦ ଟଙ୍କାରେ ବିକ୍ରି ହୋଇଥାଏ । ଏହି ଦୋକାନରୁ ଅଧିକାଂଶ ପୁରୀ ସହରବାସୀ ସେମାନଙ୍କ ଘର ପାଇଁ କିମ୍ବା ପ୍ରିୟଜନମାନଙ୍କ ନିମନ୍ତେ ଖଜା ଅର୍ଡର ଦେଇ ନିଅନ୍ତି । ରଥଯାତ୍ରାରେ ଏହି ଦୋକାନଗୁଡ଼ିକରେ ମଧ୍ୟ ବିପୁଳ ପରିମାଣର ଖଜା ବିକ୍ରି ହୋଇଛି । ପ୍ରତ୍ୟେକ ଶ୍ରଦ୍ଧାଳୁ ଘରକୁ ୨ରୁ ୫ କେଜି ପର୍ଯ୍ୟନ୍ତ ଖଜା କିଣି ନେଉଥିବା ଦେଖିବାକୁ ମିଳିଥିଲା ।

ସମୁଦ୍ରକୂଳ ରାସ୍ତାରେ ଖଜା ଦୋକାନ କରିଥିବା ଦେବ ପ୍ରଧାନ କହିଛନ୍ତି, ସେ ରଥଯାତ୍ରାରେ ବିକ୍ରି ନିମନ୍ତେ ପ୍ରାୟ ୧୦ ଲକ୍ଷ ଟଙ୍କା ଖଜା ମଗାଇଥିଲେ । ଏଥିରୁ ସେ ପ୍ରାୟ ୨୦ ଲକ୍ଷ ଟଙ୍କା ପାଇଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ମଧ୍ୟ ସମସ୍ତ ଖଜା ବିକ୍ରି ସରିଛି । ପରିବହନ ଖର୍ଚ୍ଚ ଓ ଶ୍ରମିକ ମଜୁରି ଦେଇସାରିବା ପରେ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ଲାଭ ମିଳିଛି ।

ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ସମର୍ପିତ ହେଉଥିବା ଖଜା ମହାପ୍ରସାଦର ବାସ୍ନା, ସ୍ୱାଦ ସମ୍ପୂର୍ଣ୍ଣ ନିଆରା । ତେଣୁ ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀମନ୍ଦିର ଆନନ୍ଦ ବଜାର ଓ ଆଡ଼ପ ମଣ୍ଡପ ଆନନ୍ଦ ବଜାରରେ ୪୦ କୋଟିରୁ ଅଧିକ ଟଙ୍କାର ଖଜା ବିକ୍ରି ହୋଇଛି । ପୁରୀ ଖଜାକୁ ଜିଆ ଟ୍ୟାଗ ମାନ୍ୟତା ଦେଇ ଏହାର ସ୍ୱତନ୍ତ୍ର ପରିଚୟ ବିଶ୍ୱରେ ସୃଷ୍ଟି କରିବା ପ୍ରତି ପ୍ରଶାସନ ଏପର୍ଯ୍ୟନ୍ତ ମନଯୋଗ ଦେଉନି । କିଛି ବର୍ଷ ତଳେ ପ୍ରଶାସନ ଆରମ୍ଭ କରିଥିବା ଉଦ୍ୟମ ଫାଇଲ୍ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button