ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ଓ ଭକ୍ତ

ଭୁବନେଶ୍ବର (ପ୍ରମେୟ ଡିଜିଟାଲ) ୨୭/୦୭: ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି,ଶିକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ଭାଙ୍ଗି ଦେଇଛି। ତେଣୁ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ। ଏମିତି ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଗତ ତିନି ସପ୍ତାହ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଆସୁଛି ବୋଲି ନବୀନ କହିଛନ୍ତି।

ସେହିଭଳି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କଠାରୁ ଇସ୍ତଫା ନେବା କଥା। କଣ ପାଇଁ ଏତେ ଦୁର୍ବଳତା ମୁଁ ଜାଣିପାରୁନି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାର କାହାର ଅଧିକାର ନାହିଁ। ବାଧ୍ୟ ହୋଇ ଆମେ ଓଡ଼ିଶା ବନ୍ଦ ଡାକରା ଦେବୁ। ଅଭିଭାବକମାନଙ୍କୁ ସାମିଲ କରି ଓଡ଼ିଶା ବନ୍ଦ କରିବୁ। ସରକାରଙ୍କୁ ୧୦ ଦିନ ସମୟ ଦେଉଛୁ। ନହେଲେ ବାଧ୍ୟ ହୋଇ ଓଡ଼ିଶା ବନ୍ଦ କରିବୁ ବୋଲି ଭକ୍ତ ଚେତାବନୀ ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ୨୪ ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା, ଅନେକ ବିଭ୍ରାଟ ହୋଇଥିଲା, ହେଲେ କେହି ଇସ୍ତଫା ଦେଇଥିଲେ କି? ନବୀନ ବାବୁ ପ୍ରଥମେ ଉଦାହରଣ ସୃଷ୍ଟି କରନ୍ତୁ। ନିଟ ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ କହିଛନ୍ତି ଯେ, ନୀତି ନୈତିକତାର ପାଠ ନ ପଢାନ୍ତୁ । ଗତ ସରକାର ସମୟରେ ଅନେକ ବିଭ୍ରାଟ ହୋଇଥିଲା । ପରୀକ୍ଷା ତ୍ରୁଟି ମଧ୍ୟ ଦେଖା ଦେଇଥିଲା, ସେତେବେଳେ କେତେ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ । ରାଜ୍ୟ ସରକାର ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ପଦକ୍ଷେପ ନେଉଛନ୍ତି । ଇସ୍ତଫା ଦେଇଦେଲେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ । ସରକାର ଏବଂ ନେତୃତ୍ବ ସେ ଦିଗରେ ଚିନ୍ତା କରୁଛନ୍ତି ବୋଲି ଲକ୍ଷ୍ମଣ ବାଗ୍ କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button