ଦେଶ ବିଦେଶ

CJP: ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ନ କ‌ଲେ ପୁଣି ଆନ୍ଦୋଳନ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲା ସିଜେପି

ନିଟ୍‌ ପେପର ଲିକ୍‌ ପ୍ରସଙ୍ଗକୁ ନେଇ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନ ପରେ ଛାତ୍ରଛାତ୍ରୀ ଓ ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ଅଭିଯୋଗ କରି କକ୍ରୋଚ୍ ଜନତା ପାର୍ଟି (ସିଜେପି) ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛି।

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ପ୍ରସଙ୍ଗକୁ ନେଇ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନପରେ ଛାତ୍ରଛାତ୍ରୀ ଓ ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ଅଭିଯୋଗ କରି କକ୍ରୋଚ୍ ଜନତା ପାର୍ଟି (ସିଜେପି) ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛି। ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର, ଅଟକ ଓ ଗିରଫ ହୋଇଥିବା ସମସ୍ତଙ୍କୁ ତୁରନ୍ତ ମୁକ୍ତ କରିବା ସହ ଆଗକୁ ଆଉ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନ ନେବାକୁ ଦଳ ଦାବି କରିଛି। ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବ ବୋଲି ସିଜେପି ସ୍ପଷ୍ଟ କରିଛି।

ସିଜେପିର ମୁଖପାତ୍ର ଅଶୁତୋଷ ରଙ୍କା ଓ ସୌରଭ ଦାସ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସଦସ୍ୟ କପିଲ ସିବଲଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଆନ୍ଦୋଳନ ପ୍ରତ୍ୟାହାର ସମୟରେ କେନ୍ଦ୍ର ସରକାର ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟ ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଉଥିବା ଓ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ସ୍ୱେଚ୍ଛାସେବୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହା ସରକାରଙ୍କ ପ୍ରତିଶ୍ରୁତିର ଉଲ୍ଲଙ୍ଘନ ବୋଲି ସିଜେପି କହିଛି।

ସିଜେପି କହିଛି, ଅଟକ ଓ ଗିରଫ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ଏହାର ଆଇନଜୀବୀ ଦଳ ସମ୍ପୃକ୍ତ ରାଜ୍ୟର ଓକିଲମାନଙ୍କ ସହ ଯୋଗାଯୋଗରେ ରହିଛି। ଏଥିସହ ଆନ୍ଦୋଳନ ସମୟର ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସଂରକ୍ଷଣ ପାଇଁ ‘ସାକ୍ଷୀ’ ନାମରେ ଏକ ଡିଜିଟାଲ୍‌ ପ୍ରମାଣ ଭଣ୍ଡାର ଆରମ୍ଭ କରାଯାଇଛି, ଯାହା ଭବିଷ୍ୟତରେ ଆଇନଗତ ପ୍ରକ୍ରିୟାରେ ସହାୟକ ହେବ ବୋଲି ସଂଗଠନ କହିଛି। ସଂଗଠନ ଆହୁରି ଦାବି କରିଛି ଯେ, ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର୍‌ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ଦିଲ୍ଲୀ ପୁଲିସ କିମ୍ବା ଅନ୍ୟ ରାଜ୍ୟର ପୁଲିସ ଆଉ କୌଣସି ନୂଆ ମାମଲା ରୁଜୁ ନ କରନ୍ତୁ। ଏଥିସହ ପୂର୍ବରୁ ସରକାରଙ୍କ ସହ ହୋଇଥିବା ବୁଝାମଣାର ଲିଖିତ କପି ମଧ୍ୟ ଦିଆଯାଉ ବୋଲି ସିଜେପି ଦାବି କରିଛି। ଏସବୁ ଦାବି ପୂରଣ ନ ହେଲେ ପୁଣିଥରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସଂଗଠନ ଚେତାବନୀ ଦେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button