Rahul Gandhi: ରାହୁଲଙ୍କ ‘ଏକେ-୪୭ ଗୁଳିଚାଳନା’ ଅଭିଯୋଗକୁ ନେଇ ରାଜନୀତି ତେଜିଲା, ବିଜେପି କହିଲା ‘ମିଛ ପ୍ରଚାର’
ବିହାରରେ ନିଟ୍ ପେପର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୋମବାର କେନ୍ଦ୍ର ସରକାର ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାଗ୍ଯୁଦ୍ଧ ତୀବ୍ର ହୋଇଛି।

ନୂଆଦିଲ୍ଲୀ: ବିହାରରେ ନିଟ୍ ପେପର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୋମବାର କେନ୍ଦ୍ର ସରକାର ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାଗ୍ଯୁଦ୍ଧ ତୀବ୍ର ହୋଇଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ‘ଏକେ-୪୭ରୁ ଗୁଳି’ ଚଳାଇଛି। ଅନ୍ୟପକ୍ଷରେ ବିଜେପି ଏହି ଦାବିକୁ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି କହି ରାହୁଲ ଗାନ୍ଧୀ ଲୋକଙ୍କୁ ଭ୍ରମିତ କରାଉଥିବା ଅଭିଯୋଗ ଆଣିଛି।
ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ରାହୁଲ ଗାନ୍ଧୀ କହିଥିଲେ, ବିହାରରେ ଛାତ୍ରମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଥିବାବେଳେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି ଏବଂ ଏକେ-୪୭ରୁ ଗୁଳି ଚଳାଯାଇଛି। ଛାତ୍ରମାନଙ୍କ ସ୍ୱରକୁ ଦମନ କରିବା ପାଇଁ ସରକାର ବଳପ୍ରୟୋଗ କରୁଥିବା ସେ ଅଭିଯୋଗ କରିଥିଲେ। ପେପର ଲିକ୍ ଘଟଣାରେ ପୀଡ଼ିତ ଯୁବପିଢ଼ିଙ୍କ ସହ କଂଗ୍ରେସ ରହିବ ବୋଲି ମଧ୍ୟ ସେ କହିଥିଲେ।
ରାହୁଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ତୁରନ୍ତ ପ୍ରତିକ୍ରିୟା ଦେଇଥିଲା। ଦଳର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର କହିଥିଲେ, ବିହାରରେ ଏକେ-୪୭ରୁ ଗୁଳି ଚଳାଯାଇଥିବାର କୌଣସି ପ୍ରମାଣ ନାହିଁ। ରାହୁଲ ଗାନ୍ଧୀ ଜାଣିଶୁଣି ଭୁଲ୍ ସୂଚନା ପ୍ରଚାର କରି ଦେଶରେ ଅସ୍ଥିରତା ସୃଷ୍ଟି କରିବା ଓ ଛାତ୍ର ଆନ୍ଦୋଳନକୁ ଆହୁରି ଉସ୍କାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ନେତା କହିଥିଲେ, ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସାଧାରଣ ଆଇନଗତ ବ୍ୟବସ୍ଥା ଗ୍ରହଣ କରିଥିଲା। ଏକେ-୪୭ ଭଳି ସ୍ୱୟଂଚାଳିତ ରାଇଫଲ ବ୍ୟବହାର କରାଯାଇଥିବା କଥା ସମ୍ପୂର୍ଣ୍ଣ କଳ୍ପିତ ଏବଂ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




